କନକ ବ୍ୟୁରୋ: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି । ଘଟଣା ପଦାକୁ ଆସିବା ପରେ ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି । ଏହି କେଳେ ଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା  । 

Advertisment

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବ୍ରହ୍ମପୁରରେ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଏସ୍‌ପିଙ୍କ ନେତୃତ୍ବରେ ୫ ଜଣ ଅଧିକାରୀଙ୍କୁ ନେଇ ତଦନ୍ତକାରୀ ଟିମ୍‌ ବାଲେଶ୍ବର ଓ ବ୍ରହ୍ମପୁରରେ ତଦନ୍ତ କରୁଥିବା ବେଳେ ସେମାନଙ୍କୁ ଉକ୍ତ  ଜିଲ୍ଲା ପୁଲିସର ଆଉ ଏକ ଟିମ୍ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି ।  ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ନେଇ ଏକ ଗୁଇନ୍ଦା ସୂଚନା ଓପିଆର୍‌ବିର ହସ୍ତଗତ ହୋଇଥିଲା । ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା  । ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି । ଭବିଷ୍ୟତରେ ଯେଭଳି ଏ ପ୍ରକାର ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରାଯାଇଛି ।