କନକ ବ୍ୟୁରୋ: ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକ୍ରମେ ସୁପ୍ରିମକୋର୍ଟ ବୁଲା କୁକୁରଙ୍କ ସମ୍ବନ୍ଧରେ ତାଙ୍କର ପୂର୍ବ ଆଦେଶକୁ ପରିବର୍ତ୍ତନ କରିଛନ୍ତି । ନୂତନ ନିର୍ଦ୍ଦେଶ ଅନୁଯାୟୀ, ବୁଲା କୁକୁରମାନଙ୍କୁ ଟିକାକରଣ ପରେ ଆଶ୍ରୟସ୍ଥଳରୁ ମୁକ୍ତ କରାଯାଇ ସେହି ଅଞ୍ଚଳକୁ ପୁଣି ଫେରାଇ ଦିଆଯାଇପାରିବ । ତେବେ, ଆକ୍ରମଣାତ୍ମକ ଆଚରଣ କରୁଥିବା କିମ୍ବା ଜଳାତଙ୍କ ରୋଗରେ ଆକ୍ରାନ୍ତ କୁକୁରମାନଙ୍କୁ ମୁକ୍ତ କରାଯିବ ନାହିଁ । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

Advertisment

ଏହା ପୂର୍ବରୁ, ଅନ୍ୟ ଏକ ଖଣ୍ଡପୀଠ ଦିଲ୍ଲୀ-ଏନସିଆରକୁ "ବୁଲା କୁକୁରମୁକ୍ତ" କରିବା ଲକ୍ଷ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ଅଗଷ୍ଟ ୧୧ ତାରିଖରେ ଦେଇଥିବା ଏହି ଆଦେଶରେ କୁକୁର କାମୁଡ଼ା ଓ ଜଳାତଙ୍କ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ୮ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଅତିକମରେ ୫,୦୦୦ କୁକୁର ରଖିବା କ୍ଷମତା ବିଶିଷ୍ଟ ନୂତନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କହିଥିଲେ । ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ସାରା ଦେଶରେ ୩୭ ଲକ୍ଷରୁ ଅଧିକ କୁକୁର କାମୁଡ଼ା ଓ ୫୪ଟି ସନ୍ଦିଗ୍ଧ ଜଳାତଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।

ଅଗଷ୍ଟ ୧୧ର ଏହି ନିର୍ଦ୍ଦେଶ ପରେ ପଶୁପ୍ରେମୀ, ସାମାଜିକ କାର୍ଯ୍ୟକର୍ତ୍ତା ଓ ସେଲିବ୍ରିଟିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ଏମାନେ ଯୁକ୍ତି ବାଢ଼ିଥିଲେ ଯେ ବୁଲା କୁକୁରଙ୍କୁ ବହୁ ସଂଖ୍ୟାରେ ସ୍ଥାନାନ୍ତର କରିବା କେବଳ ଖର୍ଚ୍ଚବହୁଳ ଓ ପୌର ସଂସ୍ଥାମାନଙ୍କ ବଜେଟ୍ ଉପରେ ଚାପ ପକାଇବ ତା ନୁହେଁ, ବରଂ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ଅପ୍ରଭାବୀ ସାବ୍ୟସ୍ତ ହେବ । ଏତେ ବଡ଼ ଧରଣର କାର୍ଯ୍ୟ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବକୁ ମଧ୍ୟ ସେମାନେ ଦର୍ଶାଇଥିଲେ ।

ଏହି ବିରୋଧକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ବି.ଆର. ଗଭାଇ ଏହି ମାମଲାର ପୁନର୍ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନୂତନ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବା ସହ ନିଜର ରାୟକୁ ସଂରକ୍ଷିତ ରଖିଥିଲେ । ଶେଷରେ, ଜନସାଧାରଣଙ୍କ ସୁରକ୍ଷା ଓ ପଶୁ କଲ୍ୟାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଲକ୍ଷ୍ୟ ରଖି ଅଦାଲତ ଏହି ସଂଶୋଧିତ ନିର୍ଦ୍ଦେଶ ଦେଇଛନ୍ତି ।