କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଭଳି ହିଟଯୋନରେ ପରିବେଶ ସୁରକ୍ଷା ପାଇଁ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଛି । ହେଲେ ବାସ୍ଥବିକ ସ୍ଥିତି କିନ୍ତୁ ଅଲଗା ଦେଖିବାକୁ ମିଳିଛି । ତାହାପୁଣି ନିଜେ ଉପ-ମୁଖ୍ୟମନ୍ତ୍ରୀ ଜଙ୍ଗଳ ଭିତରେ ଚାଲି ଚାଲି ବୁଲିବା ସହ କରିଛନ୍ତି ଯାଞ୍ଚ ଶେଷରେ ଗଛନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହ ଭିଜିଲାନ୍ସ ବିଭାଗ କୁ ତଦନ୍ତ ପାଇଁ ଦେଇଛନ୍ତି ନିର୍ଦ୍ଦେଶ ।
ଖରା ହେଉ କି ବର୍ଷା, ଗରମ ବା ତାତି କଥା ଆସିଲେ ବଲାଙ୍ଗୀର ଜିଲ୍ଲା ବାବଦରେ ଚର୍ଚ୍ଚା ହୁଏ । ପରିବେଶ ସୁରକ୍ଷା ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ବନବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଉଛି । ଆଉ ଏହି ବନୀକରଣ ଆଳରେ ଦୁର୍ନୀତିର ସୁରାକ୍ ପାଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପାଟଣାଗଡ ଗସ୍ତ ସମୟରେ ଲରମ୍ଭା ବନାଞ୍ଚଳର ଦମକିପାଲି, ଠେଲକୋଛାପର ଓ ଲାହେରଜୁରୀ ଜଙ୍ଗଲ ବୁଲି ଦେଖିଛନ୍ତି କେ.ଭି ସିଂଦେଓ । ଚଳିତ ବର୍ଷ ବନିକରଣ ପାଇଁ ଲଗାଯାଇଥିବା ଗଛର ଚିହ୍ନବର୍ଣ୍ଣ ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ବର୍ଷର ଗଛ କୁଆଡ଼େ ଗଲା? ବୋଲି ଡିଏଫଓଙ୍କୁ ପଚାରିବା ସହ ଭିଜିଲାନ୍ସକୁ ତଦନ୍ତ ନିର୍ଦେଶ ଦେଇଛନ୍ତି ।
ଚଳିତ ବର୍ଷ ପାଟଣାଗଡ଼ ବନାଞ୍ଚଳରେ ବୃକ୍ଷରୋପଣ ପାଇଁ ସରକାରୀ ତହବିଲରୁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଜଙ୍ଗଲରେ ଏ ବର୍ଷର ଗୋଟିଏ ବି ଗଛ ନଥିବାରୁ ଦୁର୍ନୀତି ଜଳଜଳ ହୋଇ ଦେଖାଯାଉଛି । ଏହି ଦୁର୍ନୀତି ବଡ଼ବଡ଼ିଆ ବାବୁଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ସେପଟେ ରେଞ୍ଜର କହିଛନ୍ତି, ଗଛ ଲଗା ହୋଇଛି । କିଏ କହୁଛି ସତ? ବିଭାଗୀୟ ବାବୁ ନା ଉପମୁଖ୍ୟମନ୍ତ୍ରୀ! ଏତେ ସବୁ ପରେ ବନିକରଣ ନାଁରେ ବଡ଼ ଧରଣ ଦୁର୍ନୀତିର ପର୍ଦ୍ଦାଫାଶ କରିବ ଭିଜିଲାନ୍ସ ତଦନ୍ତ ।