ASO SCAM Photograph: (KANAK NEWS)
କନକ ବ୍ୟୁରୋ : ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା , ୨୦୨୪ରେ ଓଡ଼ିଶା ହାଇକୋର୍ଟ ଏଏସ୍ଓ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି କଟକ ଲାଲବାଗ ଥାନା ପୁଲିସ । ଏଏସ୍ଓ ପରୀକ୍ଷା ପାଇଁ ଆଉଟସୋର୍ସିଂ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଆଉ ଏହି ସଂସ୍ଥା ସହ ମିଶି କିଛି ଦଲାଲ ଓ ପରୀକ୍ଷା ଆଶାୟୀ ରଚିଥିଲେ ବଡ଼ ଷଡ଼୍ଯନ୍ତ୍ର । ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ଦିଆଯାଇଥିଲା ମଡେଲ ପ୍ରଶ୍ନପତ୍ର ଓ ଉତ୍ତର । ଅନିୟମିତତା ଅଭିଯୋଗ ଆସିବା ପରେ ଯଦିଓ ସେତେବେଳେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା, ହେଲେ ଏବେ ସେହି କେଳେଙ୍କାରୀରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ବଡ଼ କଥା ହେଉଛି, ଯେଉଁ ୬ଜଣ ଗିରଫ ହୋଇଛନ୍ତି, ସେମାନଙ୍କର ଏସଆଇ ପରୀକ୍ଷା ଜାଲିଆତିରେ ମଧ୍ୟ ସଂପୃକ୍ତ ରହିଛି । କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ ପରେ ପୁଲିସ ଏକଥା ଜାଣିବାକୁ ପାଇଛି ।
ଓଟିଇଟି ପରୀକ୍ଷା ହେଉ କି ହାଇକୋର୍ଟ ଏଏସଓ ପରୀକ୍ଷା । SI ପରୀକ୍ଷା ହେଉ କି ଅନ୍ୟାନ୍ୟ ସରକାରୀ ପରୀକ୍ଷା । ସବୁଥିରେ ବେଧଡ଼କ ଦୁର୍ନୀତି କରିବାକୁ ପଛାଉନାହାନ୍ତି କିଛି ମୁଷ୍ଟିମେୟ କଟେରୀ । ବାରମ୍ବାର ପରୀକ୍ଷା ହେଉଛି, ହେଲେ ଦୁର୍ନୀତି କଥା ଆଗକୁ ଆସିବା ପରେ ପରୀକ୍ଷା ବାତିଲ କରିବାକୁ ବାଧ୍ୟ ହେଉଛନ୍ତି ସରକାର । ହେଲେ ଏହାରି ଭିତରେ ଦୁର୍ନୀତିରେ ସାମିଲ ଥିବା କିଛି ସରକାରୀ ବାବୁ ଖସି ଯାଉଛନ୍ତି । ଏହି ସରକାରୀ ବାବୁ ଓ ବଡ଼ବଡ଼ିଆଙ୍କ ବିନା ପୃଷ୍ଠପୋଷକତାରେ ଏଭଳି କେଳେଙ୍କାରୀ କରିବା ସମ୍ଭବ ନୁହେଁ । ଯାହାଦ୍ବାରା ହଇରାଣ ହେଉଛନ୍ତି ଚାକିରି ଆଶାୟୀ । ପ୍ରଶ୍ନ ଉଠୁଛି, ପରୀକ୍ଷାରେ ଦୁର୍ନୀତି କରିବାକୁ ଏମାନଙ୍କୁ କିଏ ପ୍ରଶ୍ରୟ ଦେଉଛି? କାହିଁକି ସରକାର ଏମାନଙ୍କ ବିରୋଧରେ ନେଉନାହାନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ? କାହିଁକି ବାରମ୍ବାର ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଉଛି ପରୀକ୍ଷା ଦାୟିତ୍ୱ?
ଅଧିକ ପଢ଼ନ୍ତୁ---ବଜେଟ୍-୨୦୨୬ ଉପସ୍ଥାପନ କଲେ ନିର୍ମଳା ; ୫୩.୫୪ ଲକ୍ଷ କୋଟିର ବ୍ୟୟବରାଦ
Follow Us