କନକବ୍ୟୁରୋ : ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଗୋଲାପ ଫୁଲ କିଣାରେ ଦୁର୍ନୀତିର ବାସ୍ନା କମିନଥିବା ବେଳେ ଏବେ ଆଉ ଏକ ଦୁର୍ନୀତି ସାମ୍ନାକୁ ଆସିଛି। ମାର୍ଚ୍ଚ ମାସରେ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ବାଲେଶ୍ବରର ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟର ପାର୍କରେ ବ୍ୟବସ୍ଥା ହୋଇଥିଲା । ଦାୟିତ୍ବ ନେଇଥିବା ସୁଲଗ୍ନା ଏଜେନ୍ସି ତୀର୍ଥଯାତ୍ରୀଙ୍କ ପାଇଁ ପଦ୍ମାବତୀ ପାର୍କରେ ଚକାଚକ ରୁମ ବୁକ୍ କରିଥିଲେ ।
କିନ୍ତୁ ଏହି ଚକାଚକ ରୁମ ଜରିଆରେ ସରକାରୀ ଟଙ୍କା ଚଳୁ କରିଛନ୍ତି ଏଜେନ୍ସିଂ ଓ ଦାୟିତ୍ବରେ ଥିବା ଅଧିକାରୀ। ଯାହାର ପ୍ରମାଣ କନକ ନ୍ୟୁଜ ହାତରେ ଲାଗିଛି। ନଜର ପକାନ୍ତୁ ଏହି ଦୁଇଟି ବିଲ ଉପରେ । ଏଜେନ୍ସିଂ ପର୍ଯ୍ୟଟନ ବିଭାଗକୁ ଦେଇଥିବା ବିଲରେ ୧୪ଟି ରୁମ ବୁକ୍ ହୋଇଥିବା ଉଲ୍ଲେଖ ଅଛି। ଅନ୍ୟପଟେ ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟର ପାର୍କ ଯେଉଁ ବିଲ ଦେଇଛି ସେଥିରେ ସୁଲଗ୍ନା ଏଜେନ୍ସିଂ ନାଁରେ ୧୨ଟି ରୁମ ବୁକ୍ ଥିବା ସ୍ପଷ୍ଟ ହୋଇଛି । ଅଥାର୍ତ ଅଧିକ ରୁମର ବିଲ କରି ଚଳୁ କରାଯାଇଛି ଟଙ୍କା। କେବଳ ଅଧିକ ରୁମର ହିସାବ ଦେଇ ଟଙ୍କା ହରିଲୁଟ ହୋଇନି ।
ବରଂ ବୁକ୍ ହୋଇଥିବା ରୁମ ବାବଦରେ ମିଛ ଜିଏସଟି ହିସାବ ସହ ଟଙ୍କା ପକେଟରେ ପୂରାଇଛି ଏଜେନ୍ସି। ଯାହାର ସତ ଏ ବିଲ କହୁଛି। ପର୍ଯ୍ୟଟନ ବିଭାଗକୁ ଏଜେନ୍ସି ଦେଇଥିବା ବିଲରେ ୧୮% ଜିଏସଟି ବାବଦକୁ ୮୮୨୦ ଟଙ୍କା ସହ ପ୍ରତି ରୁମ ପିଛା ୩୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଉଲ୍ଲେଖ ରହିଛି। ରୁମ ପାଇଁ ୫୭ ହଜାର ୮୨୦ ଟଙ୍କା ପାଇବ ବୋଲି ବିଲରେ ଦର୍ଶାଇଛି ଏଜେନ୍ସି ।
କିନ୍ତୁ ପଦ୍ମାବତୀ ପାର୍କ ପକ୍ଷରୁ ଦିଆଯାଇଥିବା ବିଲରେ ପ୍ରତି ରୁମ ବାବଦକୁ ନିଆଯାଇଛି ୧୨% ଜିଏସିଟି । ଏହାସହ ପ୍ରତି ରୁମ ବାବଦକୁ ୨୨୩୨ ଟଙ୍କା ହିସାବରେ ମୋଟ ଭଡା ୩୫୦୦୦ ଟଙ୍କା ଉଲ୍ଲେଖ ରହିଛି । କିନ୍ତୁ ୭୦୦୦ ଟଙ୍କା ଭିତରେ ରୁମ ଭଡା ଥିଲେ ୧୨% ଜିଏସଟି ଲାଗିବ ବୋଲି କହିଛନ୍ତି ଅଧିକାରୀ। ଯାହା ଜାଣିଶୁଣି ଜିଏସଟି ଦୁର୍ନୀତି କରାଯାଇଛି ବୋଲି ସଂକେତ ଦେଇଛି।