କନକ ବ୍ୟୁରୋ: ବିହାର ନିର୍ବାଚନ ପାଇଁ ଏବେ ପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନି । ହେଲେ ଏବେଠୁ କିନ୍ତୁ ବିହାରକୁ ଜିତିବାକୁ କାମ ଆରମ୍ଭ କରିଦେଇଛି ବିଜେପି । ଏହି କ୍ରମରେ ଗୁରୁବାର ବିଜେପି ଏକ ବଡ଼ ଘୋଷଣା କରିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରର ପ୍ରଭାରୀ ଦାୟିତ୍ୱ ଦେଇଛି । କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରରେ ବିଜେପିକୁ ଜିତାଇବା ପାଇଁ ଦାୟିତ୍ୱ ଦିଆଯାଇଛି । ତା ସହିତ ଦଳ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ସିଆର୍ ପାଟିଲଙ୍କୁ ମଧ୍ୟ ଦଳ ସହ ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛି ।
ଅନ୍ୟପଟେ ଦଳ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଛି । ତାଙ୍କ ସହ ବିପ୍ଲବ ଦେବଙ୍କୁ ପଶ୍ଚିମବଙ୍ଗର ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । ସେପଟେ ତାମିଲନାଡୁ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ମୁରଲୀଧର ମାହୋଲଙ୍କୁ ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ କରିଛି ବିଜେପି ।
ଧର୍ମେନ୍ଦ୍ର ଦେବେ କି ସଫଳତା?
ଏଥର ବିହାର ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ତାକୁ ଦେଖି ଦଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ବଡ଼ ଦାୟିତ୍ୱ ଦେଇଛି । ଏହାପୂର୍ବରୁ ସେ ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟର ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ଖାସ୍ କରି ତାଙ୍କ ରଣନୀତିରେ ଦଳ ନିର୍ବାଚନ ବୈତରଣୀ ପାର୍ ହୋଇଥିବାରୁ, ତାଙ୍କୁ ପୁଣିଥରେ ବଡ଼ ଦାୟିତ୍ୱ ଦେଇଛି ଦଳ ।
ଭୂପେନ୍ଦ୍ର ପଶ୍ଚିମବଙ୍ଗରେ ଫୁଟାଇବେ କି ପଦ୍ମ?
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ପଲ୍ଲା କେତେ ଭାରି ତା ଆପଣ ନିହାତି ଜାଣିଥିବେ । ହେଲେ ତା ପରେ ବି ବିଜେପି ସେଠାରେ ନୂଆ ସମ୍ଭାବନା ଦେଖୁଛି । ତେଣୁ ଆଗାମୀ ନିର୍ବାଚନ ପାଇଁ ଦଳ ସେଠାରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦେଇଛି । ଭୂପେନ୍ଦ୍ରଙ୍କ ପାଖରେ ସଙ୍ଗଠନାତ୍ମକ ଅନୁଭବ ରହିଛି । ତେଣୁ ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନରେ ସେ ଦଳକୁ ସଫଳତା ଦେଇପାରନ୍ତି ବୋଲି ଦଳ ଆଶା ରଖିଛି ।
ସେହିପରି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ ତାମିଲନାଡୁ ନିର୍ବାଚନର ପ୍ରଭାରୀ ଦାୟିତ୍ୱ ଦେଇଛି । ୨୦୨୬ରେ ସେଠାରେ ନିର୍ବାଚନ ହେବାକୁ ଅଛି, ତେଣୁ ତା ପୂର୍ବରୁ ଦଳ ବୈଜୟନ୍ତଙ୍କୁ ଦେଇଛି ବଡ଼ ଦାୟିତ୍ୱ ।