କନକବ୍ୟୁରୋ : ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଜଣାପଡ଼ିଛି ଯେ, କିଛି ସେକେଣ୍ଡ ଟେକ ଅଫ କରିବା ପରେ ବିମାନର ଦୁଇଟି ଯାକ ଇଞ୍ଜିନ ହଠାତ୍ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇଗଭେଷ୍ଟିଗେସନ୍ ବ୍ୟୁରୋ ବା ଏଏଆଇବି ପକ୍ଷରୁ ୧୫ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁସାରେ ଉଡାଣ ସମୟରେ ବିମାନ ଟି ୧୮୦ର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା ।
ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧ ଓ ଇଞ୍ଜିନ-୨ର ଫୁଏଲ କଟ୍ ଅଫ୍ ସୁଇଚ୍ ‘ରନ୍’ରୁ ‘କଟ୍-ଅଫ୍’ ସ୍ଥିତିକୁ ଚାଲି ଯାଇଥିଲା , ତାହା ପୁଣି ୧ ସେକେଣ୍ଡ ବ୍ୟବଧାନରେ । ଯାହା ଇଞ୍ଜିନକୁ ଇନ୍ଧନ ଭରିବା ବନ୍ଦ କରିଦେଇଥିଲା ଏବଂ ଉଭୟ ଇଞ୍ଜିନର ଏନ୍-୧ ଓ ଏନ୍-୨ ରୋଟେସନ୍ ଗତି ଦ୍ରୁତ ଗତିରେ ହ୍ରାସ ପାଇଥିଲା । ତେବେ ଇଞ୍ଜିନ୍-୧ କିଛି ମାତ୍ରାରେ ରିକୋଭରି କରିଥିଲା । କିନ୍ତୁ ଇଞ୍ଜିନ୍-୨ ସମ୍ପୂର୍ଣ୍ଣ ଭାବେ ଗତି ହାସଲ କରିପାରିନଥିଲା । ଏହାରି ଭିତରେ ଅକ୍ସିଲାରୀ ପାୱାର ୟୁନିଟ୍ ବା ଏପିୟୁ ମଧ୍ୟ ଅଟୋଷ୍ଟାର୍ଟ ମୋଡରେ ସକ୍ରିୟ ହୋଇଥିଲା ।