କନକବ୍ୟୁରୋ : ବିଜେପି ନେତାଙ୍କୁ ହାଇଓ୍ବା ଗାଡି ଚଢାଇ ନିର୍ମମ ହତ୍ୟା ଘଟଣାର ବଡ଼ ଖୁଲାସା । ଚାଳକ କହିଲେ ଇଛା ହେଲା ମାରିଦେଲି । ଦୁର୍ଘଟଣାରେ ୨ ବିଜେପି ନେତାଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସମ୍ବଲପୁର ଚି ପିଲିମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରି ହାଇୱା ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।
ଶନିବାର ରାତିରେ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କୁ ଭେଟି ଭୁବନେଶ୍ୱରରୁ କାରରେ ଚିପିଲିମା ଫେରିବା ବେଳେ ହାଇୱା ଧକ୍କାରେ ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି । ଭୟରେ କାର ଚାଳକ କଚ୍ଚା ରାସ୍ତାକୁ ଓହ୍ଲାଇ ଯାଇଥିଲା । ତଥାପି ଗୋଡ଼େଇ ନେଇ ହାଇୱା ଧକ୍କା ଦେବାରୁ କାର ଓଲଟି ପଡିଥିଲା ।
ଦୁର୍ଘଟଣାରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିବା ପରେ ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରିଛି । ତେବେ ଚାଳକଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ପଛରେ କାହାର ହାତ ଅଛି ତାହା ଉପରେ ପୁଲିସ ଅଧିକ ତଦନ୍ତ ଚଳାଇଛି।