କନକ ବ୍ୟୁରୋ; ୧୫ ସେପ୍ଟେମ୍ବର ୨୦୨୫ । ବିଦ୍ୟାଧରଙ୍କ ପାଖରେ ପହଞ୍ଚିଥିଲେ ଗଜପତି, ଭୁବନେଶ୍ୱର, ବାଲେଶ୍ଵର ଓ ଯାଜପୁରରୁ ଆସିଥିବା ଏହି ଯୁବକମାନେ I ଭୁବନେଶ୍ୱରରେ ସରକାରୀ ଚାକିରିର ସ୍ବପ୍ନ ନେଇ ବିଦ୍ୟାଧରଙ୍କ ମାଧ୍ୟମରେ ଦେଇଥିଲେ ଦେଢ଼ କୋଟି ଟଙ୍କା । ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ନାମକ ଜଣେ ମହିଳା ଏକ କନସଲଟାନ୍ସି ଖୋଲି ଚାକିରି ଦେଉଥିଲେ ଆଉ ଟଙ୍କା ସହ ଚାକିରି ଆଶାୟୀଙ୍କ ଅସଲି ସାର୍ଟିଫିକେଟ ସବୁ ନେଇଯାଇଥିଲେ ବିଦ୍ୟାଧର I ହେଲେ ନା ମିଳିଲା ଚାକିରି ନା ଫେରି ପାଇଲେ ଟଙ୍କା । ବିଦ୍ୟାଧର ଟଙ୍କା ଫେରାଇବାକୁ ଅସମର୍ଥ ହେବାରୁ, ଗତ ୧୬ ତାରିଖ ଦିନ ତାଙ୍କରି କାରରେ ଯାଜପୁରକୁ ଉଠାଇ ନେଇଥିଲେ ଚାକିରି ଆଶାୟୀ । ଆଉ ୨ କୋଟି ନ ଫେରାଇଲେ ସ୍ୱାମୀ ଆଉ ଘରକୁ ଫେରିବନି ବୋଲି ବିଦ୍ୟାଧରଙ୍କ ପତ୍ନୀଙ୍କୁ ଫୋନ କରି ଧମକ ଦେଇଥିଲେ । ହେଲେ ୧୯ ତାରିଖରେ ବିଦ୍ୟାଧର ବନ୍ଧକ ଥିବା ଭଡ଼ା ଘରେ ଆତ୍ମହତ୍ୟା କରିଦେଲେ । ମୃତ ଦେହକୁ ଯାଜପୁରରୁ ଚନ୍ଦକା ଆଣି ଫୋପାଡ଼ି ଫେରାର ହୋଇ ଯାଇଥିଲେ ସମସ୍ତେ ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ ଗୁରାଣ୍ଡିର ଏନ୍. ଦିଲ୍ଲୀପ କୁମାର, ଦୀପକ ସାହୁକାର, ରବୀନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ବେହେରା। କିଏ ପୁଅକୁ ସରକାରୀ ଚାକିରି ଦେବାକୁ ଟଙ୍କା ଦେଇଥିଲେ ତ ଆଉ କିଏ ଭାଇ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଡିଲ୍ କରିଥିଲେ । ଚାକିରି ତ ମିଳିଲାନି, ଟଙ୍କା ବି ଫେରି ପାଇଲେନି। ଆଉ ଶେଷରେ ବାନ୍ଧିଛି ପୁଲିସ। ବିଦ୍ୟାଧର ସାହୁ ମୃତ୍ୟୁ ଘଟଣାରେ ଏହି ୪ ଅଭିଯୁକ୍ତଙ୍କୁ ଅପହରଣ, ନିର୍ଯାତନା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ଦଫାରେ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ । ସବୁଠାରୁ ବଡ଼ କଥା ହେଉଛି ଠକେଇର ସିଣ୍ଡିକେଟ୍ ଚଳାଇଥିବା ମହିଳା ଜ୍ୟୋତ୍ସ୍ନାରାଣୀ ଏଵେ ଫେରାର । କେବଳ ଏହି ବ୍ୟକ୍ତିମାନେ ନୁହଁନ୍ତି, ଠକ ସୁନ୍ଦରୀର ଜାଲରେ ଫସିଥିବା ଅନ୍ୟ ବ୍ୟକ୍ତି ମଧ୍ୟ ନିକଟସ୍ଥ ଥାନାରେ ଅଭିଯୋଗ କରିପାରିବେ ବୋଲି ପୁଲିସ କହିଛି ।