କନକ ବ୍ୟୁରୋ : ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍ ମଧ୍ୟରେ ସମ୍ପର୍କ ଥିବା ଅନେକ ଦିନ ହେଲା ଚର୍ଚ୍ଚା ହୋଇଆସୁଥିଲା। ଲସ୍କରର ଜଣେ ବରିଷ୍ଠ କମାଣ୍ଡର ସର୍ବସାଧାରଣରେ ହମାସ ସହିତ ସମ୍ପର୍କକୁ ସ୍ୱୀକାର କରିଛନ୍ତି। ଲସ୍କର ଓ ହମାସର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବୈଠକ କଥାକୁ ମଧ୍ୟ ସେ ସ୍ବୀକାର କରିଛନ୍ତି। ଆମେରିକା ଦ୍ୱାରା ଉଭୟ ଲସ୍କର ଓ ହମାସ ଆତଙ୍କବାଦୀ ସଙ୍ଗଠନ ଘୋଷିତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ସହଯୋଗ ବିସ୍ତାର ଭାରତ ସମେତ ବିଶ୍ବସ୍ତରରେ ଚିନ୍ତା ବୃଦ୍ଧି କରିଛି।
ଅଧିକ ପଢ଼ନ୍ତୁ : ବଳ ଗୋଟାଉଛି ହମାସ୍, ଆତଙ୍କୀ ସଂଗଠନରେ ସାମିଲ ହେଲେ ୩୦ ହଜାର ନୂତନ କର୍ମୀ
ଲସ୍କରର ରାଜନୈତିକ ମୋର୍ଚ୍ଚା ପାକିସ୍ତାନ ମର୍କଜି ମୁସଲିମ ଲିଗ୍ କମାଣ୍ଡର ଫୈଜଲ ନଦିମ ଏକ ଭିଡିଓରେ ସ୍ୱୀକାର କରିଛନ୍ତି ଯେ, ସେ ୨୦୨୪ରେ କତାରର ଦୋହାରେ ହମାସର ବରିଷ୍ଠ ନେତାଙ୍କୁ ଭେଟିଥିଲେ। ନଦିମ ପାକିସ୍ତାନର ସିନ୍ଧ ପ୍ରଦେଶରୁ କାର୍ୟ୍ୟ କରୁଥିବାବେଳେ ଏହି ବୈଠକ ବେଳେ ତାଙ୍କ ସହିତ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୈଫୁଲ୍ଲହ କସୁରି ମଧ୍ୟ ଉପସ୍ଥିତ ଥିଲେ।
ନଦିମ କହିଛନ୍ତି, ସେ ଓ କସୁରି ହମାସ୍ର ଜଣେ ପ୍ରମୁଖ ଆତଙ୍କବାଦୀ ଖାଲିଦ ମାସାଲଙ୍କୁ ଭେଟିଥିଲେ। ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଏହାକୁ ଦକ୍ଷିଣ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ କାର୍ୟ୍ୟ କରୁଥିବା ଆତଙ୍କବାଦୀ ନେଟୱାର୍କ ମଧ୍ୟରେ ସମନ୍ୱୟର ପ୍ରତ୍ୟକ୍ଷ ପ୍ରମାଣ ବୋଲି କହିଛନ୍ତି। ବିଶ୍ଳେଷକଙ୍କ ମତରେ ଲସ୍କର କମାଣ୍ଡରଙ୍କ ଏହି ସ୍ୱୀକାରୋକ୍ତି ଉଭୟ ସଙ୍ଗଠନ ମଧ୍ୟରେ ଲଜିଷ୍ଟିକ୍ସ, ପ୍ରଚାର ରଣନୀତି ଏବଂ କାର୍ୟ୍ୟକ୍ଷମ ଅଭିଜ୍ଞତାକୁ ସୂଚାଉଛି।
ଏହାପୂର୍ବରୁ ପାକିସ୍ତାନର ଗୁଜରନୱାଲାରେ ହମାସ୍ କମାଣ୍ଡର ନାଜି ଜାହିର୍ ଓ ଲସ୍କର କମାଣ୍ଡର ରସିଦ ଅଲ୍ଲୀ ସାନ୍ଧୁଙ୍କ ମଧ୍ୟରେ ବୈଠକ ହୋଇଥିବା ନେଇ ଜାନୁଆରି ୭ରେ ଖବର ଆସିଥିଲା। ନାଜି ଜାହିର୍ ପିଏମ୍ଏମ୍ଏଲ୍ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜଣେ ରାଜନୈତିକ ନେତା ଭାବେ କାର୍ୟ୍ୟ କରୁଥିବା ସାନ୍ଧୁ ସଂଗଠନର ପ୍ରତିନିଧିତ୍ୱ କରୁଥିଲେ। ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ, ବୈଠକର ସାର୍ବଜନୀନ ସ୍ୱଭାବ ଦୁଇ ଗୋଷ୍ଠୀ ମଧ୍ୟରେ ବଢ଼ୁଥିବା ଆତ୍ମବିଶ୍ୱାସ ଏବଂ ଗଭୀର ସମ୍ପର୍କକୁ ସୂଚିତ କରୁଛି। ଜାହିର ଅକ୍ଟୋବର ୨୦୨୩ ପରଠାରୁ ପ୍ରାୟ ୧୫ ଥର ପାକିସ୍ତାନ ଗସ୍ତ କରିଥିବା ଜଣାପଡ଼ିଛି। ଫୈଜଲ ନଦିମଙ୍କ ସଦ୍ୟତମ ସ୍ୱୀକାରୋକ୍ତିକୁ ଲସ୍କରର ବିସ୍ତାରିତ ସମ୍ପର୍କର ଆହୁରି ସୁନିଶ୍ଚିତ କରିଛି।
ଅଧିକ ପଢ଼ନ୍ତୁ : ଲସ୍କର-ଏ-ତୈବା ନିଯୁକ୍ତି ମାମଲା : ଏନ୍ଆଇଏ କୋର୍ଟରେ ସୟଦ ଏମ ଇଦ୍ରିସ୍କୁ ୧୦ ବର୍ଷ ଜେଲ୍ଦଣ୍ଡ
ହମାସ ଓ ଲସ୍କର ଆମେରିକା ଏବଂ ଅନ୍ୟ କେତେକ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନ ଭାବରେ ଘୋଷିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ କୌଣସି ସମନ୍ୱୟ ଗମ୍ଭୀର ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ଉପରେ ପ୍ରଭାବ ପକାଇପାରେ। ଭାରତୀୟ ଗୁଇନ୍ଦା ସଂସ୍ଥା, ଏଫ୍ଏଟିଏଫ୍ (ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ) ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ହମାସ-ଲସ୍କର ମେଣ୍ଟ ଉପରେ କଡ଼ା ନଜର ରଖିଛି।
ଅଧିକାରୀମାନେ କହିଛନ୍ତି ଯେ, ଉଭୟ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ବୈଠକ ବ୍ୟାପକ ବୈଚାରିକ ଏବଂ କାର୍ୟ୍ୟକ୍ଷମ ମେଣ୍ଟ ଗଠନ ପାଇଁ ଏକ ରଣନୈତିକ ପ୍ରୟାସକୁ ସୂଚାଉଛି। ଯେଉଁଥିରେ ଆତଙ୍କବାଦ ପାଇଁ ତାଲିମ, ପାଣ୍ଠି ସଂଗ୍ରହ ଏବଂ ପ୍ରଚାର ସହଯୋଗ ଅନ୍ତର୍ଭୁକ୍ତ ହୋଇପାରେ। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଘଟଣାବଳୀ ଉପରେ କଡ଼ା ନଜର ରଖୁଛନ୍ତି ଏବଂ ଭାରତର ଜାତୀୟ ସୁରକ୍ଷା ପାଇଁ ଏହାର ପ୍ରଭାବ ମୂଲ୍ୟାଙ୍କନ କରୁଛନ୍ତି।
Follow Us