କନକ ବ୍ୟୁରୋ : ଓଡ଼ିଶାରେ ରହୁଛନ୍ତି ୧୨ଜଣ ପାକିସ୍ତାନୀ । ଦୀର୍ଘକାଳୀନ ଭିସା ବଳରେ ଏମାନେ ଓଡ଼ିଶାରେ ବସବାସ କରୁଛନ୍ତି । ଏମାନଙ୍କୁ ଭାରତ ଛାଡ଼ି ଯିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।
ପହଲଗାମ ଆକ୍ରମଣ ପରେ ଭାରତରେ ବସବାସ କରୁଥିବା ପାକିସ୍ତାନୀ ମାନଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ସେପଟେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଜାରି ହୋଇଛି ।
ପହଲଗାମ୍ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ନେଇ ସତର୍କ ରାଜ୍ୟ ସରକାର । ସମୁଦ୍ରତଟ ସୁରକ୍ଷା ପାଇଁ ସଜାଗ ଅଛନ୍ତି ମେରାଇନ୍ ପୋଲିସ ଓ କୋଷ୍ଟ ଗାର୍ଡ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଆଳ ଦେଖାଇ ରାଜ୍ୟରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି ।