କନକ ବ୍ୟୁରୋ: ଆପଣଙ୍କର ଯଦି ରାସନ୍ କାର୍ଡ ଅଛି ଆଉ ଆପଣ ରାସନ୍ କାର୍ଡରେ ଚାଉଳ ପାଉଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ମୁଣ୍ଡପିଛା ଆଉ ୫ କେଜି ନୁହେଁ ବରଂ ମିଳିବ ୧୦ କେଜି ଚାଉଳ । ଏନେଇ ଯୋଗାଣ ବିଭାଗ ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଖୁବଶୀଘ୍ର ଫାଇଲ୍ ପଠାଯିବ ଆଉ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ୧୦ କେଜି ଚାଉଳ ମିଳିଲେ ରାଜ୍ୟର ପ୍ରତିଟି ରାସନ୍ କାର୍ଡ ଧାରୀ ଏହାର ଲାଭ ପାଇବେ । ରାଜ୍ୟରେ ଏବେ ପ୍ରାୟ ୩ କୋଟିରୁ ଅଧିକ ରାସନ୍ କାର୍ଡ ରହିଛି । ଆଉ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିଲେ ଏହାର ଲାଭ ଏହି ୩ କୋଟି କାର୍ଡଧାରୀ ପାଇବେ ।
ମଙ୍ଗଳବାର ରାସନ୍ କାର୍ଡ ନେଇ ମନ୍ତ୍ରୀ ଆଉ ଗୋଟିଏ ମଧ୍ୟ ବଡ଼ ବୟାନ ରଖିଥିଲେ । ମନ୍ତ୍ରୀ କହିଥିଲେ ଆସନ୍ତା ମାସରୁ ଯେଉଁ ଲୋକମାନଙ୍କର ଇ-କେଓ୍ୱାଇସି ହେଇନଥିବ, ସେମାନଙ୍କୁ ଆଉ ରାସନ୍ ଚାଉଳ ମିଳିବନି । କେନ୍ଦ୍ର ସରକାର ଇ-କେଓ୍ୱାଇସି ବନ୍ଦ କରିଦେଇଛନ୍ତି, ହେଲେ ରାଜ୍ୟର ଏବେ ବି ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ଇ-କେଓ୍ୱାଇସି କରିନାହାଁନ୍ତି । ତେଣୁ ଏବେ ଆଉ ସମୟ ନଥିବା କାରଣରୁ ଆସନ୍ତାମାସରୁ ଏହି ଲୋକମାନଙ୍କୁ ଆଉ ଚାଉଳ ଦିଆଯିବ ନାହିଁ ।
ରାସନ କାର୍ଡ ଉପରେ ଏବେ ବି ଆମ ରାଜ୍ୟର ଅନେକ ଗରିବ ଲୋକ ଭରସା କରିଥାନ୍ତି । ତେଣୁ ସରକାର ଏବେ ଯଦି ଏହି ମୁଣ୍ଡପିଛା ଚାଉଳକୁ ୫ କେଜିରୁ ୧୦ କେଜିକୁ ବଢାଇ ଦିଅନ୍ତି । ତେବେ ଏହାର ଲାଭ ସାଧାରଣ ଲୋକମାନେ ପାଇପାରିବେ ।