କନକ ବ୍ୟୁରୋ: ପିଏମ କିସାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ ଖବର । ଏହି ଯୋଜନାର ଲାଭ ଉଠାଇବାକୁ ପୁଣି ଚାଷୀଙ୍କୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଏହି ବିକାଶମୂଳକ ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୪  ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇସାରିଲେଣି । ଏହି ଯୋଜନାରେ ମିଳୁଥିବା ସହାୟତା ରାଷି କୃଷି ଓ କୃଷକ କଲ୍ୟାଣ ଧାରାକୁ ଆହୁରି ତ୍ୱରାନ୍ୱିତ କରିଛି । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କଥା କହିଥିଲେ । ବର୍ତ୍ତମାନ ଏହି ଯୋଜନାକୁ ନେଇ ଏକ ଅପ୍‌ଡେଟ୍‌ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ଚାଷୀଙ୍କୁ  KYC ଅପ୍‌ଡେଟ୍‌ କରିବାକୁ ଅବଧି ଧାର୍ଯ୍ୟ  କରାଯାଇଥିଲା । ବର୍ତ୍ତମାନ ଏହି ଅବଧିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି । 

Advertisment

ସିଏମ କିସାନ ହିତାଧିକାରୀ KYC ଅପଡେଟ କରି ପିଏମ କିସାନରେ ସାମିଲ ହୋଇପାରିବେ । ଏବେ ସିଏମ କିସାନର ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ଥିବା ବେଳେ ପିଏମ କିସାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ କିସାନରେ ସାମିଲ କରିଛନ୍ତି ନୂଆ ସରକାର । ଆହୁରି ଅଧିକ ଚାଷୀଙ୍କୁ ଏହି ଯୋଜନାରେ ଯୋଡ଼ିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ ।  

ଚାଷୀମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ କାର୍ଯ୍ୟକାରୀ ହୋଇଛି PM କିସାନ ଯୋଜନା ।  ଏହି ଯୋଜନାରେ ଦେଶର କୋଟି କୋଟି ଚାଷୀ ବାର୍ଷିକ ୬ ହଜାର ଟଙ୍କାର ସହାୟତା ପାଇପାରୁଛନ୍ତି । ଏହି ସହାୟତା ରାଶିକୁ ୨-୨ ହଜାର ଟଙ୍କାର ତିନୋଟି କିସ୍ତିରେ ଦିଆଯାଏ । ବର୍ତ୍ତମାନ ସୁଦ୍ଧା ମୋଟ ୨୦ଟି କିସ୍ତି ପାଇ ସାରିଛନ୍ତି ଚାଷୀ । ଏଥର ୨୧ତମ କିସ୍ତିର ଅପେକ୍ଷା କରିଛନ୍ତି ଚାଷୀ ।  

ପିଏମ୍ କିସାନ ଯୋଜନାର ୨୧ତମ କିସ୍ତି ଦୀପାବଳି ପୂର୍ବରୁ ମିଳିପାରେ ବୋଲି ଅନୁମାନ କରାଯାଉଛି । କାରଣ ପର୍ବପର୍ବାଣୀରେ ମୋଦୀ ସରକାର ଚାଷୀମାନଙ୍କୁ ଭେଟି ଦେଇ ଆସିଛନ୍ତି । ଏଥର ଦୀପାବଳି ଉପହାର ସ୍ୱରୂପ ଚାଷୀଙ୍କୁ ପିଏମ୍ କିସାନ ୨୧ତମ କିସ୍ତି ଦେଇପାରନ୍ତି ବୋଲ ଜାତୀୟ ମିଡିଆରେ ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।  

ପିଏମ୍‌ କିସାନ ଯୋଜନାର ନିୟମ ଅନୁଯାୟୀ, କିସ୍ତିର ଟଙ୍କା ପ୍ରାୟ ପ୍ରତି ୪  ମାସର ବ୍ୟବଧାନରେ ମିଳିଥାଏ ।  ଏହି ହିସାବରେ ପରବର୍ତ୍ତୀ କିସ୍ତି ଅର୍ଥାତ୍ ୨୧ତମ କିସ୍ତିର ୪ ମାସର ସମୟ ନଭେମ୍ବରରେ ପୂରଣ ହେଉଛି । ଏଣୁ ଦୀପାବଳି ପୂର୍ବରୁ ମୋଦୀ ସରକାର ଟଙ୍କା ଦେବେ ବୋଲି ଆଶା ବାନ୍ଧିଛନ୍ତି ଦେଶର କୋଟିକୋଟି ଚାଷୀ ।