କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚରେ କମାଲ କରିଛନ୍ତି ତିଲକ ବର୍ମା । ତାଙ୍କର ୭୨ ରନର ଦମଦାର ଇଂନିସ ବଳରେ ଭାରତ ୨ ଓ୍ବିକେଟରେ ବିଜୟୀ ହୋଇଥିଲା । ଆଉ ଏହି ବିଜୟ ସହ ଭାରତ ଏବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି । ତିଲକ ବର୍ମା ଟି-୨୦ରେ ନିଜର ପ୍ରଥମ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ତେବେ ଏହି ଦମଦାର ଇଂନିସ ସହ ସେ ଏବେ ଟିମ ଇଣ୍ଡିଆର ହିରୋ ପାଲଟି ଯାଇଛନ୍ତି । ଆଉ ନିଜ ନାଁରେ କରିଛନ୍ତି ବଡ ରେକର୍ଡ । ଏହି ରେକର୍ଡ କରି ସେ ବିରାଟ କୋହଲି ଓ ମହମ୍ମଦ ରିଜଓ୍ବାନଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇଛନ୍ତି ।
ଇଂଲଣ୍ଡ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୬୫ ରନ କରିଥିଲା । ଆଉ ଭାରତ ବିଜୟ ଲକ୍ଷ୍ୟକୁ ପୂରା କରିବାକୁ ଦ୍ରୁତ ଆରମ୍ଭ କରିଥିଲେ ବି ବଡ ପାର୍ଟନରସିପ ନହୋଇପାରିବାରୁ ଜଲଦି ଟିମ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଯେତେବେଳେ ଟିମ ୭୮ରେ ୫ ଓ୍ବିକେଟ ହରାଇ ସାରିଥିଲା ସେତେୱେଳେ ୱ୍ୟାଟିଂ ଆରମ୍ଭ କରିଥିଲେ ତିଲକ ବର୍ମା । ଆଉ ନିଜ ଦୁର୍ଦ୍ଦଶ ବ୍ୟାଟିଂ ବଳରେ ସେ ଭାରତକୁ ୨ ଓ୍ବିକେଟରେ ବିଜୟୀ କରାଇଥିଲେ । ଚାପକୁ ସମ୍ଭାଳି ସେ ବହୁତ ଧର୍ୟ୍ୟୈପୂର୍ଣ୍ଣ ବ୍ୟାଟିଂ କରିଥିଲେ । ତେବେ ସେ ଏହାସହ ଟି-୨୦ରେ ୫୦୦ ରନ ସବୁଠାରୁ ଅଧିକ ଆଭରେଜରେ ପୂରଣ କରିଛନ୍ତି । ଯେଉଁଥିରେ ବିରାଟ କୋହଲି ଓ ମହମ୍ମଦ ରିଜଓ୍ବାନ ମଧ୍ୟ ପଛରେ ରହିଛନ୍ତି ।
ତିଲକ ବର୍ମା ୨୨ ଟି-୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୫୮.୯ର ଆଭରେଜରେ ବ୍ୟାଟିଂ କରି ସେ ୭୦୭ ରନ କରିଛନ୍ତି । ସେ ଏବେ ଯାଏଁ ୨ ଶତକ ଓ ୩ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେହିପରି ତିଲକଙ୍କ ପରେ ଏହି ଲିଷ୍ଟରେ ବିରାଟ କୋହଲି ରହିଛନ୍ତି ଯାହାଙ୍କ ଆଭରେଜ ୪.୬୯ ଆଉ ତୃତୀୟ ସ୍ଥାନରେ ରହିଛନ୍ତି ମହମ୍ମଦ ରିଜଓ୍ବାନ, ଯାହାଙ୍କ ଆଭରେଜ ୪୭.୪୧ ରହିଛି ।
ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ତିଲକ ବର୍ମା ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ପିଲାବେଳୁ ଆର୍ଥିକ ସ୍ଥିତି ବହୁତ ଖରାପ ଥିଲେ ବି ସେ କେବେ ଖେଳ ଛାଡିନଥିଲେ । ତିଲକଙ୍କ ସଫଳତା ପଛରେ ତାଙ୍କ ବାପା-ମାଙ୍କ ବେଶ ଭଲ ଅବଦାନ ରହିଛି । ପୁଅକୁ କ୍ରିକେଟର କରିବା ପାଇଁ ବାପା ଚାକିରି ଛାଡି ନିଜ ଘର ସିଫ୍ଟ କରିଦେଇଥିଲେ । କାରଣ ପୁଅକୁ ପ୍ରାକ୍ଟିସ କରିବା ପାଇଁ ବହୁତ ଦୂରକୁ ଯିବାକୁ ପଡୁଥିଲା । ବାପା ଇଲେକ୍ଟ୍ରେସିଆନ ଭାବେ କାମ କରି ପୁଅକୁ ବଡ କ୍ରିକେଟର କରିଥିଲେ ।
ସେହିପରି ତିଲକଙ୍କୁ ତାଙ୍କ କୋଚ ବି ବେଶ ସହାୟତା କରିଥିଲେ । ଆର୍ଥିକ ସ୍ଥିତି ଠିକ ନଥିବାରୁ କୋଚ ସଲାମ ବୟାସ ତିଲକଙ୍କ ଖାଇବା ପିଇବା ଖର୍ଚ୍ଚଠାରୁ ଆରମ୍ଭ କରି କ୍ରିକେଟ କିଟ୍ ଯାଏଁ ସବୁ ଦାୟିତ୍ବ ତୁଲାଉଥିଲେ । ତିଲକ ଅଣ୍ଡର ୧୬ରେ ଭଙ୍ଗା ବ୍ୟାଟରେ ଖେଳିଥିଲେ । ଆଉ ସେ ୨୦୨୦ ଅଣ୍ଡର ୧୯ କ୍ରିକେଟ ଟିମର ସଦସ୍ୟ ବି ରହିସାରିଛନ୍ତି ।