କନକ ବ୍ୟୁରୋ:  ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ସୁଭଦ୍ରା ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଥିବାବେଳେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଏସଓପି ଘୋଷଣା କରିଛନ୍ତି । ଏଥିସହ ଏହି ଯୋଜନାର ଲାଭ ୨୧ ବର୍ଷରୁ ଉର୍ଦ୍ଧ୍ୱ ଓ ୬୦ ବର୍ଷରୁ କମ୍ ବୟସର ମହିଳାମାନେ ପାଇପାରିବେ । ତା ସହ ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮) ତାରିଖରେ ମହିଳାଙ୍କୁ ଟଙ୍କା ଦିଆଯିବ । ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ଡେବିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Advertisment

ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୫୫ ହଜାର ୮୨୫ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ୧ କୋଟି ମହିଳା ଲାଭ ପାଇବେ । ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମାନ ଓ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଟଙ୍କା ଦିଆଯିବ । ପ୍ରତିଥର ସେମାନଙ୍କୁ ୫ ହଜାର ଲେଖାଏଁ ଟଙ୍କା ଦିଆଯିବ । ତେଣୁ ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବେ । ଏଥିପାଇଁ ହିତାଧିକାରୀଙ୍କୁ ସୁଭଦ୍ରା ଡେବିଟ୍ କାର୍ଡ ପ୍ରଦାନ କରାଯିବ ।

ମିଳିଥିବା ସୂଚନା ମୁତାବକ, ସୁଭଦ୍ରା ଯୋଜନାରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ଅର୍ବାନ ଲୋକାଲ୍ ବଡିରେ ସର୍ବାଧିକ ପରିମାଣର କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫ ଶହ ଟଙ୍କାର ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯିବ । ତେବେ ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା , ସରକାରୀ ଚାକିରି କରୁଥଇବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏତଦବ୍ୟତୀତ କୌଣସି ସରକାରୀ ଯୋଜନାରେ ମାସିକ ଦେଢ ହଜାର କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ପାଉଥିବା ମହିଳା ମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।