କନକ ବ୍ୟୁରୋ : କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୨ ଭେଣ୍ଟିଲେଟର୍‌ ମଧ୍ୟରୁ ୮୯ଟି ଅଚଳ ହୋଇପଡ଼ିଛି । ସେଣ୍ଟ୍ରାଲ୍ ଏୟାର କମ୍ପ୍ରେସର ସିଷ୍ଟମ୍ କାମ କରୁ ନଥିବାରୁ ଭେଣ୍ଟିଲେଟର୍‌ ଶଘ୍ର  ଖରାପ ହେଉଥିବା କୁହାଯାଉଛି । ୨୦୨ ଭେଣ୍ଟିଲେଟର୍‌ ମଧ୍ୟରୁ ମେଡିସିନ୍ ଆଇସିୟୁର ପ୍ରଥମ ମହଲାରେ ୪୦ଟିରୁ ୩୦ଟି ଭେଣ୍ଟିଲେଟର ଅଚଳ । ମେଡିସିନ୍ ଆଇସିୟୁର ଗ୍ରାଉଣ୍ଡ ଫ୍ଲୋରରେ ୨୦ରୁ ୩, ସେଣ୍ଟ୍ରାଲ୍ ଆଇସିୟୁରେ ୨୪ରୁ ୧୦, କାର୍ଡିଓଲୋଜି ଆଇସିୟୁରେ ୨୦ରୁ ୧୬, ରେସ୍ପିରେଟୋରି ମେଡିସିନ୍ ଆଇସିୟୁରେ ୧୫ରୁ ୯, ନୂଆ ଓ ପୁରୁଣା ପେଡିଆଟ୍ରିକ୍ ଆଇସିୟୁରେ ୧୨ରୁ ୮ଟି ଭେଣ୍ଟିଲେଟର୍‌ ଅଚଳ ଅଛି । ସେହିପରି ଡିଏମ୍ ପଲମୁନାରି ଆଇସିୟୁରେ ୧୦ରୁ ୩, ବର୍ଣ୍ଣ ଆଇସିୟୁରେ ୯ରୁ ୪, ୟୁରୋଲୋଜି ଆଇସିୟୁରେ ୫ରୁ ୪ ଭେଣ୍ଟିଲେଟର୍‌  କାମ କରୁନି ।

Advertisment

କୋଭିଡ୍ ସମୟରେ କେନ୍ଦ୍ର ସରକାରଙ୍କ ପିଏମ୍ କେୟାର ଯୋଜନାରେ ଏସ୍‌ସିବିକୁ ଆସିଥିବା ୬୦ ଭେଣ୍ଟିଲେଟର୍ ଅଚଳ ହୋଇପଡ଼ିଛି । ଆସିବା ଦିନଠାରୁ ସେଗୁଡ଼ିକ ଠିକ୍‌ଭାବରେ କାମ କରୁନଥିବା କୁହାଯାଉଛି । ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ଗତକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସ୍ବାସ୍ଥ୍ୟ ସଚିଵ ଆଶ୍ବସ୍ତି ଏସ୍, କଟକ ଜିଲ୍ଲା ଜିଲ୍ଲାପାଳ ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । କିନ୍ତୁ ଭେଣ୍ଟିଲେଟର ଅଚଳ କଥା କେହି ଗଣମାଧ୍ୟମ ଆଗରେ କହି ନାହାନ୍ତି । ସ୍ବାସ୍ଥ୍ୟ ସଚିଵ କହିଥିଲେ, ଏସସିବି ସମ୍ପ୍ରସାରଣ ନେଇ ସମୀକ୍ଷା କରାଯାଉଛି । କେଉଁଦିନ କଟକ ଏସସିବି ମେଡିକାଲରେ ଏହି ସମସ୍ୟାର ସମାଧାନ ହେବ, ତାକୁ ହଁ ଅପେକ୍ଷା ।