କନକ ବ୍ୟୁରୋ, ଏନଏସଏ ଉପଦେଷ୍ଟା ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାସସ୍ଥାନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକ ପାକିସ୍ତାନର ଅଭିଯୋଗ ପରେ ହୋଇଛି, ଯେଉଁଥିରେ ପାକିସ୍ତାନ କହିଛି ଯେ ଭାରତ ଚେନାବ ନଦୀର ଜଳପ୍ରବାହକୁ ଅବରୋଧ କରି ଖରିଫ୍ ଫସଲ ଋତୁକୁ ବିପଦରେ ପକାଇଛି । ସୂତ୍ର ଅନୁଯାୟୀ, ଏହି ବୈଠକରେ ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି । ଡୋଭାଲ ଏବଂ ମୋଦୀଙ୍କ ମଧ୍ୟରେ ଏହି ଆଲୋଚନା ପ୍ରାୟ ୪୦ମିନିଟ ଧରି ଚାଲିଥିଲା । ବୈଠକରେ ସିନ୍ଧୁ ଜଳ ଚୁକ୍ତି ଏବଂ ପାକିସ୍ତାନର ଅଭିଯୋଗକୁ ନେଇ ଭାରତର ଆଗାମୀ ପଦକ୍ଷେପ ଉପରେ ବିଚାର କରାଯାଇଥିବା ଜଣାପଡ଼ିଛି । ପାକିସ୍ତାନ ଦାବି କରିଛି, ଭାରତ ଜମ୍ମୁର ବାଗଲିହାର ଓ ସାଲାଲ ଡ୍ୟାମ୍ରେ ଜଳ ଅଟକାଇ ରଖିଛି, ଯାହା ତାଙ୍କ କୃଷି ଉପରେ ଗୁରୁତର ପ୍ରଭାବ ପକାଇପାରେ । ଏହା ବ୍ୟତୀତ, ବୈଠକରେ ସୀମାନ୍ତ ଉତ୍ତେଜନା ଏବଂ ଆତଙ୍କବାଦୀ ଘଟଣା ଉପରେ ମଧ୍ୟ ଆଲୋଚନା ହୋଇଥାଇପାରେ । ଡୋଭାଲ ପ୍ରଧାନମନ୍ତ୍ରୀଙ୍କୁ ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ବିଷୟରେ ଅବଗତ କରାଇଥିବା ସୂଚନା ମିଳିଛି । ସରକାରୀ ସୂତ୍ରରୁ କୌଣସି ଆନୁଷ୍ଠାନିକ ବିବୃତି ଜାରି ହୋଇନାହିଁ, କିନ୍ତୁ ଏହି ବୈଠକ ଭାରତର ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ କୂଟନୈତିକ ପଦକ୍ଷେପ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଅନ୍ୟପଟେ କାଲିଠୁ ଦେଶରେ ୨୪୪ଟି ସ୍ଥାନରେ କରାଯିବ ମକ୍ ଡ୍ରିଲ । ଉତ୍ତର ପ୍ରଦେଶର ୧୯ଟି ସ୍ଥାନରେ କରାଯିବ ମକ୍ ଡ୍ରିଲ ସେହିପରି ଓଡିଶାରେ ୧୨ଟି ସ୍ଥାନରେ କରାଯିବ ମକ୍ ଡ୍ରିଲ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ମକ୍ ଡ୍ରିଲ୍ର ଗୁରୁତ୍ୱ ଅତ୍ୟନ୍ତ ବେଶୀ । ଗୃହ ମନ୍ତ୍ରାଳୟ ମେ’ ୭ ତାରିଖରେ ୨୪୪ଟି ଜିଲ୍ଲାରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ୧୯୭୧ ଯୁଦ୍ଧ ପରେ ପ୍ରଥମ । ଏପ୍ରିଲ ୨୨ରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପାକିସ୍ତାନ ସହ ସୀମାରେ ନିରନ୍ତର ଗୁଳିବିନିମୟ ପରେ ଏହି ପଦକ୍ଷେପ ନିଆଯାଇଛି ।
ବାଜିବ ଯୁଦ୍ଧ ସାଇରନ୍!
ଆକାଶମାର୍ଗରୁ ଆକ୍ରମଣ ନେଇ ମିଳିବ ଚେତାବନୀ
ଆକ୍ରମଣ ହେବାକୁ ଥିଲେ ବାଜିବ ଘନ ଘନ ସାଇରନ୍
ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ଦିଆଯିବ ତାଲିମ୍
ଅଧିକ ଜନବହୁଳ ସ୍ଥାନକୁ ଖାଲି କରାଯିବ
ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ
ମକ୍ଡ୍ରିଲ୍ ବେଳେ ହେବ ବିଦ୍ୟୁତ କାଟ୍
ମକ୍ ଡ୍ରିଲ୍ ଜରୁରୀ କାରଣ ଏହା ନାଗରିକମାନଙ୍କୁ ଯୁଦ୍ଧଜନିତ ବିପଦ ପାଇଁ ପ୍ରସ୍ତୁତ କରେ । ଏହାରେ ଏୟାର ରେଡ୍ ସାଇରନ୍, ବ୍ଲାକଆଉଟ୍, ଗୁରୁତ୍ୱପୂର୍ଣ୍ଣ ସ୍ଥାପନାର ସୁରକ୍ଷା, ଏବଂ ନିରାପଦ ସ୍ଥାନାନ୍ତରଣ ଯୋଜନାର ଅଭ୍ୟାସ କରାଯିବ । ଏହି ଡ୍ରିଲ୍ ଭାରତର ରଣନୈତିକ ପ୍ରସ୍ତୁତି ଓ ଦୃଢ଼ତାକୁ ସୂଚାଏ । ତେବେ, ଏହା ସିଧାସିଧି ଯୁଦ୍ଧର ସଙ୍କେତ ନୁହେଁ । ପରମାଣୁ ଅସ୍ତ୍ରଧାରୀ ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣ ଯୁଦ୍ଧର ଆଶଙ୍କା କମ୍, କିନ୍ତୁ ସୀମିତ ସଂଘର୍ଷର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/06/4OOpMQiqkZptZVV9Dnoz.jpg)