କନକ ବ୍ୟୁରୋ : କନକ ନ୍ୟୁଜର ବଡ଼ ପ୍ରଭାବ । ସୁନ୍ଦରଗଡ଼ ବେଆଇନ ଖଣିର ତଦନ୍ତ କରିବ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ହେମଗିରି ତେଲେନଡିହି, ରତନସରା, ଜାମକାନୀ, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଥିବା ଚୋରା କୋଇଲା ଖଣି ମାମଲାର ତଦନ୍ତ କରିବ ରାଜ୍ୟ ଖଣି ବିଭାଗର ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ୯ ଜଣିଆ ଟିମ୍ କରିବେ ତଦନ୍ତ । ଟିମ୍ରେ ୩ ଜଣ ଉପନିର୍ଦ୍ଦେଶକ, ଜଣେ ଡିଡିଜି, ଜଣେ ମାଇନିଂ ଅଫିସରଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ସାମିଲ ରହିବେ । ଏ ନେଇ ସୂଚନା ଦେଇଛନ୍ତି ଖଣି ଉପନିର୍ଦ୍ଦେଶକ ବିମ୍ଵାଧର ସେଠୀ ।
ହେମିଗିରି, ତେଲେନଡିହି, ରତନସରାରେ ମାଫିଆମାନେ ବେଆଇନ ଖଣି ଖୋଳିଥିବା ଖବର ପ୍ରଥମେ କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ରତନସରାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଖଣି ଖୋଳିଥିଲେ ମାଫିଆ । ଏଠାରେ ଷ୍ଟକୟାର୍ଡ ହୋଇଥିଲା ଓ ଏଠାରେ ହଜାର ହଜାର ଟନ କୋଇଲା ଗଚ୍ଛିତ ଥିଲା । ଏଠାରୁ ବାହାର ରାଜ୍ୟକୁ କୋଇଲା ଚାଲାଣ ହେଉଥିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା । ବିଭିନ୍ନ କୋଲୱାଲେରୀ, କୋଲ ଡିପୋ ଓ ସ୍ପଞ୍ଜ ଆଇରନ କାରଖାନା ଉପରେ ଚଢାଉ ହୋଇଥିଲା । ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଖଣି ଉପନିର୍ଦ୍ଦେଶକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଏହାପରେ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ହେମଗିରି ତେଲେନଡିହି, ରତନସରା, ଜାମକାନୀ, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଥିବା ଚୋରା କୋଇଲା ଖଣି ମାମଲାର ତଦନ୍ତ କରିବ । ଟିମ୍ ଆଜି ରାତିରେ ପହଞ୍ଚି କାଲିଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବ ।