ବଡ଼ବାବୁଙ୍କ ବଡ଼ ହୃଦୟ ; ସଫେଇ କର୍ମଚାରୀଙ୍କୁ ନିଜ ଗାଡ଼ିରେ ନେଲେ ,ହୋଟେଲରେ ଖୁଆଇଲେ

ଅନୁଗୁଳ ପୌର ପାଳିକାରେ ମନ ଜିଣିନେଲେ ନିର୍ବାହୀ ଅଧିକାରୀ  ।  ଠିକା ସଫେଇ କର୍ମଚାରୀଙ୍କ ପାଇଁ ସ୍ମରଣୀୟ କରିଦେଲେ ପୂଜା  । ସବୁ ଦିନ ସଲାମ ନେଉଥିଲେ, ଆଜି  ଅବସର ଦିନରେ ହୋଟେଲରେ ନେଇ ଖୁଆଇଲେ,କାରର ଆଗ ସିଟରେ ବସାଇ ଘରେ ଛାଡ଼ିଲେ ।

300925_HEADLINE_9PM_8.00_57_17_00.Still003

କନକ ବ୍ୟୁରୋ: ସଫେଇ କର୍ମଚାରୀଙ୍କୁ ଅବସର ବେଳେ ଅଭୁଲା ଉପହାର । କାର୍‌ରେ ନେଇ ବଡ଼ ହୋଟେଲରେ ଖୁଆଇଲେ ଅଧିକାରୀ । ସମ୍ମାନିତ କରି ଘରେ ନେଇ ଛାଡ଼ିଆସିଲେ । ଅନୁଗୁଳ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଏଭଳି ନିଆରା ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ, ସଫେଇ କର୍ମଚାରୀ ଲକ୍ଷ୍ମଣଙ୍କ ଆଖିରେ ଭରି ଦେଇଛି ଖୁସିର ଲୁହ । 

300925_PKG_SWEEPER RETIREMENT_BISWA.00_04_26_08.Still004


ଯେଉଁ ହାତ ଝାଡ଼ୁ ମାରୁଥିଲା  ଆଜି ସେ ହାତରେ ମାନପତ୍ର ଓ ଉପହାର । ଯେଉଁ କାର୍‌କୁ ଦେଖିଲେ ସେ ସଲାମ୍ ମାରୁଥିଲେ  ଆଜି ସେ କାର୍‌ର ଆଗ ସିଟ୍‌ରେ ବସି ଛାତି କୁଣ୍ଢେମୋଟ । କାର୍ ଯାଇ ଲାଗିଥିଲା ଏକ ଦାମୀ ହୋଟେଲ୍ ଆଗରେ, ଦିନେ ଯାହାର ଚକାଚକ୍ ଚଟାଣ ମାଡ଼ିବାକୁ ସଂକୋଚ କରୁଥିଲା ତାଙ୍କ ଚପଲ ପିନ୍ଧା ପାଦ । ରେସ୍ତୋରାଁରେ ବାବୁଙ୍କ ସହ ଏକାଠି ବସି ଖାଇବା ବି ସ୍ବପ୍ନ ପୂର୍ତ୍ତିଠୁ କିଛି କମ୍ ନଥିଲା ତାଙ୍କ ପାଇଁ । ଏ ହେଉଛନ୍ତି ଅନୁଗୁଳର ଲକ୍ଷ୍ମଣ ଗୋଚ୍ଛାୟତ । ନିଜେ ଧୂଳିମଳି ହୋଇ ସହରକୁ ସଫା ସୁତୁରା ରଖୁଥିବା ଜଣେ ସ୍ୱଚ୍ଛ ସିପାହୀ । ଚାକିରିର ଶେଷ ଦିନରେ ପୌରନିର୍ବାହୀ ଅଧିକାରୀଙ୍କ ଠାରୁ ଏଭଳି ଅଭୁଲା ଉପହାର ପାଇ, ଆଖିର ଲୁହକୁ ରୋକି ପାରିନଥିଲେ ଏହି ସରଳ ମେହନତି ମଣିଷ ।

300925_PKG_SWEEPER RETIREMENT_BISWA.00_04_29_00.Still002

୩୨ ବର୍ଷ ହେଲା ଅନୁଗୁଳ ପୌରପାଳିକାରେ ଠିକା ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ଲକ୍ଷ୍ମଣ । ନିଜ ଆଡ଼ୁ ଆରମ୍ଭ କରିଥିଲେ ରାତିରେ ସହର ସଫେଇ । ତାଙ୍କଠୁ ପ୍ରେରଣା ନେଇ ରାତ୍ରି କାଳୀନ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ଅନୁଗୁଳ ପୌରପାଳିକା । ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ପାଇଥିଲା ତୃତୀୟ ସ୍ଥାନ । ଆଉ ଆଜି ଲକ୍ଷ୍ମଣଙ୍କ ନିଷ୍ଠାକୁ ସମ୍ମାନ ଜଣାଇ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ନିର୍ବାହୀ ଅଧିକାରୀ । ତାଙ୍କୁ ପଚାରିଥିଲେ, ମୁଁ ତୁମ ପାଇଁ ଆଉ କ’ଣ କରିପାରିବି? ନିରୀହ ଲକ୍ଷ୍ମଣ ଛୋଟ ଇଚ୍ଛାଟେ ଜାହିର କରି କହିଥିଲେ, ବାବୁଙ୍କ ସହ ବସି ହୋଟେଲରେ ଏକାଠି ଖାଇଥାନ୍ତି । ତା’ ପରେ ସେ ଲକ୍ଷ୍ମଣଙ୍କୁ ସସମ୍ମାନେ କାର୍‌ରେ ବସାଇ, ହୋଟେଲରେ ଖୁଆଇ, ପୁଣି କାର୍‌ରେ ଘରେ ନେଇ ଛାଡ଼ି ଆସିଥିଲେ । ଅଫିସର୍ ହୁଅନ୍ତୁ କି ସଫେଇ କର୍ମଚାରୀ । ମଣିଷପଣିଆ ଓ ନିଜ କାମରେ ନିଷ୍ଠା ସମସ୍ତଙ୍କୁ ଦେଇପାରେ ସ୍ବତନ୍ତ୍ର ପରିଚୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe