କନକ ବ୍ୟୁରୋ: ଚାକିରି ନାଁ ରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ । ପୁଣି ଏପରି ଅଭିଯୋଗ ଆସିଛି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରୁ । ନିଜକୁ  ବିଜେଡି ନେତା ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ ମାଲକାନଗିରି ମାଥିଲି ଅଂଚଳରୁ କୋଟି କୋଟି ଟଙ୍କା ଚଳୁ କରିଛନ୍ତି କେନ୍ଦ୍ରପଡା ର ଜଣେ ବ୍ୟକ୍ତି । ଆଉ ଏହି ଠକାମି ରେ ଟଙ୍କା ଜୋଗାଣ ର ମାଧ୍ୟମ ସାଜି ଥିଲେ ଖୋଦ ବିଜେଡି ର ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା ଜଣେ ବିଜେଡି ର ନେତା । ସରକାରୀ ଚାକିରି ସହ ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟି ଯୋଗାଣ ନାଁ ରେ ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କ ଠକି ନେଲେ ଏହି ଠକ ଦଳ । 

ଛୋଟ ଗାଁରେ ବଡ ଠକେଇ 
କେନ୍ଦ୍ରାପଡାରୁ ମାଥିଲି ଲିଙ୍କ୍ 
ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ କୋଟି କୋଟି ଟଙ୍କା ଠକେଇ  ଅଭିଯୋଗ ହୋଇଛି ମାଲକାନଗିରି ଜିଲ୍ଲାରେ  । ଅଭିଯୋଗ ଅନୁସାରେ.  ପିଇଓ, ଯୋଗାଣ ଅଧିକାରୀ, ପୁଲିସ ଚାକିର କରାଇବା ନାଁ ରେ ମୁଣ୍ଡ ପିଛା ୫ ରୁ ୧୦ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମାଥିଲି ଜୋନ-୩ ର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ । ଆଉ କେନ୍ଦ୍ରାପଡା ତଥା ରାଜଧାନୀରେ ବସି ଅପରେଟ କରୁଥିଲେ ନକଲି ଓଏଏସ ଅଧିକାରୀ ତଥା ସୁଜାତା କାର୍ତିକ ପାଣ୍ଡିଅନଙ୍କ ଭାଇ ପରିଚୟ ଦେଉ ଥିବା ରମେଶ ଚନ୍ଦ୍ର ରାଉତ । ଏହି ବଡ ଠକାମିର ମୁଖ୍ୟ କାର୍ପଟଦାର ସସ୍ମିତା ମାଝୀ ଏବଂ ବିଜେଡି ର ଆଉ ଜଣେ ଟାଣୁଆ ନେତା ଜୀବନ ସାହୁ ସାଜି ଥିଲେ ବୋଲି ଅଭିଯୋଗ ହୋଇଛି । ଭଲ କରି ଦେଖନ୍ତୁ ସ୍ଥାନୀୟ ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୩ ସଦସ୍ୟା ସସ୍ମିତା ମାଝୀ ଙ୍କୁ ଫୋନ ପେ ମାଧ୍ୟମରେ ପଠା ଯାଇ ଥିବା ଏହି ସ୍କ୍ରିନ୍ ଶଟ ଗୁଡିକୁ । ଫୋନପେ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ନେଣଦଣ କରିଛନ୍ତି ସସ୍ମିତା । 

ଇ-ସ୍କୁଟି ଯୋଗାଣ ନାଁରେ ଲୁଟ୍ 
ଜିଲ୍ଲାପରିଷଦ ସଭ୍ୟା ଓ ସହଯୋଗୀ ଫେରାର
ନିର୍ବାଚନ ପୁର୍ବରୁ ମିଶନ ଶକ୍ତି ମହିଳା ଓ କଲେଜ ଛାତ୍ରୀ ଙ୍କୁ ୩୦୦୦ ଇ-ସ୍କୁଟି ଯୋଗାଣ ର ଟେଣ୍ଡର ପାସ କରାଇ ଦେବା କଥା କହି ମାଥିଲି ରୁ ଜଣେ ବ୍ୟବସାୟୀଙ୍କ ଠାରୁ ଠକେଇ ହୋଇଛି ୨୬ ଲକ୍ଷ ୨୦ ହଜାର ଟଙ୍କା । ଆଉ ଏହି ଟଙ୍କା  ରମେଶ ଚନ୍ଦ୍ର ରାଉତଙ୍କ ଆକାଂଉଟରେ ଜମା ହୋଇଛି  ।  ଏହାର ମାଧ୍ୟମ ସାଜିଥିଲେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ । ପୁଲିସ ମାମଲା ରୁଜୁ କରି ରମେଶ ରାଉତଙ୍କୁ ଗିରଫ କରିଥିବାବେଳେ  ସ୍ମସିତା ମାଝି  ଓ ଜୀବନ ସାହୁ ଫେରାର ଅଛନ୍ତି । 

ପୁର୍ବରୁ ରମେଶ ଚନ୍ଦ୍ର ରାଉତଙ୍କ ନାଁ ରେ ରାଜ୍ୟ ରେ ବିଭିନ୍ନ ଜିଲ୍ଲାରେ କୋଟି କୋଟି ଟଙ୍କା ଠକାମି ର ଅଭିଯୋଗ ରହିଛି । ମାଲକାନଗିରି ଜିଲ୍ଲାରେ ଠକାମିର ଶିକାର ହୋଇ ଥିବା ଅନେକ ଚାକିରି ଆଶାୟୀ ଭୟରେ ଥାନା ରେ ଏତଲା ଦେଇ ନ ଥିବା ଜଣା ପଡିଛି ।