କନକ ବ୍ୟୁରୋ : ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୧୬ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହାକୁ ନେଇ ଟ୍ବିଟ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏବେ ନକ୍ସଲମାନେ ଶେଷ ନିଶ୍ବାସ ମାରୁଥିବା ଟ୍ବିଟ୍ କରିଛନ୍ତି ଅମିତ୍ ଶାହ। ମାଓ ମୁକ୍ତ ଭାରତ ପାଇଁ ଏହା ସୁରକ୍ଷାକର୍ମୀଙ୍କର ବଡ଼ ସଫଳତା ବୋଲି ଶାହ ଟ୍ବିଟ୍ କରିଛନ୍ତି ।
ଏପଟେ ମାଓ ଅପରେସନ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଗୃହ ମନ୍ତ୍ରାଳୟ ବରିଷ୍ଠ ଅଧିକାରୀଙ୍କ ସହ ପୋଲିସ ଡିଜି ୱାଇ. ବି. ଖୁରାନିଆ ଏବଂ ଛତିଶଗଡ଼ ପୋଲିସ ଡିଜି ସାମିଲ ହୋଇଛନ୍ତି । ଓଡିଶା ପୋଲିସ ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ପୁରୁଷ ଓ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ।
ଏନକାଉଣ୍ଟରରେ ମୋଷ୍ଟ ୱାଣ୍ଟେଡ ମାଓ ନେତା ଚଲପତିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରଥମ ଥର ପାଇଁ ଓଡିଶା ପୋଲିସ ଛତିଶଗଡ଼ ସୀମା ଭିତରେ ପଶି ଏଭଳି ଅପରେସନ କରୁଛି। ଡିଜି ସମ୍ମିଳନୀରେ ରାଜ୍ୟ ରାଜ୍ୟ ଭିତରେ ସମନ୍ୱୟ ରଖି କିଭଳି ଅପରେସନ କାରାଯିବ ସେନେଇ ଆଲୋଚନା ହୋଇଛି ।
ସେହି ଆଧାରରେ ଉଭୟ ରାଜ୍ୟ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ବଡ ଧରଣର ଅପରେସନ କରାଯାଇଛି । ଏଥିରେ ଟପ ମାଓନେତା ଚେଲ୍ଲାପତି ସହ କେନ୍ଦ୍ରୀୟ କମିଟିର ଓଡ଼ିଶା ମୁଖ୍ୟ ମନୋଜ ବି ନିପାତ ହୋଇଛି। ଗୁଇନ୍ଦା ତଥ୍ୟ ମିଳିବା ପରେ ୧୯ତାରିଖରୁ ମିଳିତ ଅପରେସନ ଆରମ୍ଭ ହୋଇଛି। ଛତିଶଗଡ଼ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସଂଖ୍ୟାଧିକ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ମିଳିତ ଅପରେସନ।