କନକ ବ୍ୟୁରୋ: ଦୁର୍ନୀତିରେ ଡୁବିଛି ୨୨ କୋଟିର କାମ । ବାହାରକୁ ଜଳଜଳ ଦେଖା ଦେଇଛି ଲୋଭି ଠିକାଦାରଙ୍କ ମନ ମୁଖି କାମ । କେମିତି ସାଧାରଣ ଜନତାଙ୍କୁ ବୋକା ବନେଇ ଦିଅନ୍ତି ଅସାଧୁ ଠିକାଦାର। ଆଉ ମାରି ନିଅନ୍ତି କୋଟି କୋଟି ଟଙ୍କା । ଦୁର୍ନୀତି କେତେ ତଳ ସ୍ତରକୁ ଯାଇ ପାରେ ତାହାର ଚିତ୍ର ଏବେ ଆପଣଙ୍କ ଟିଭି ପରଦାରେ। ଚିଲିକା ଟାପୁରେ ଥିବା କୃଷ୍ଣପ୍ରସାଦ ବ୍ଲକର ପାଇକେରାପୁର ଠାରୁ କୃଷ୍ଣପ୍ରସାଦ ଗଡ ଯିବା ରାସ୍ତାରେ ଶିଆଳ ଗାଁ ପାଖରେ ତିଆରି ହେଉଛି ସେତୁ । ନବ ନିର୍ମିତ ସେତୁରୁ ପୂଳାପୁଳା ବାଲି ବାହାରୁଛି । ପୁଣି ପାଣିରେ କଂକ୍ରିଟ୍ କାମ ।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ଆମ ପ୍ରତିନିଧି । ଏଠାରେ ରାସ୍ତାକୁ ଦୃଢ଼ କରିବା ପାଇଁ ନୁହେଁ, ବରଂ ରାସ୍ତାକୁ ଭାଙ୍ଗିବା ପାଇଁ ପୋଲ କରାଯାଉଛି। ଆଣ୍ଠୁଏ ପାଣିରେ ତରବରିଆ କଂକ୍ରିଟ୍ କାମକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଆଉ ଆମ ପ୍ରତିନିଧିଙ୍କୁ ଦେଖି ମୋଟର ସାହାଯ୍ୟରେ ପାଣି କାଢ଼ିବାକୁ ଚେଷ୍ଟା କରିଥିଲେ। ଆଉ ଏକ ସାଂଘାତିକ ଅଭିଯୋଗ, ପୋଲରେ ଚିଲିକାର ଲୁଣା ପାଣି ଆଉ ବାଲି ବ୍ୟବହାର କରୁଛନ୍ତି ଠିକାଦାର ।
ଅଧିକ ପଢନ୍ତୁ: ନିମ୍ନମାନର କାମ କରି ଚାଲିଯାଉଛି ଠିକାଦାର, ବର୍ଷ ବର୍ଷ ଧରି ଅଚଳ ପଡ଼ିଛି ଡ୍ୟାମ୍, ପଡ଼ିଆ ପଡ଼ିଛି ଚାଷ ଜମି
ଖୋର୍ଦ୍ଧା ଆର୍ ଏଣ୍ଡ ବି ଡିଭିଜନ ଅଧୀନରେ କାମ ହେଉଛି। କାମ ଆରମ୍ଭ ରୁ ହିଁ ଦୁର୍ନୀତିର ବାଡ଼ ପଡ଼ିଛି । କେବଳ ସେତୁ ନୁହେଁ ପୂରା ରାସ୍ତା ନିର୍ମାଣରେ ଲାଗିଛି ଦୁର୍ନୀତିର ଛିଟା। ପୂର୍ବରୁ ଏହି ସମାନ ରାସ୍ତାରୁ ହାତରେ ପିଚୁ ବାହାର କରି ଦୁର୍ନୀତିକୁ ଧରିଥିଲେ ଗାଁ ଲୋକ । ବିରୋଧର ସାମ୍ନା କରିଥିଲା ରାସ୍ତା କରୁଥିବା ଠିକାସଂସ୍ଥା। ତା'ପରେ ବି କିଛି କାର୍ଯ୍ୟାନୁଷ୍ଠାନ ହେଲାନି କି ବୁଦ୍ଧି ଶିଖିଲାନି ପ୍ରଶାସନ। ଏବେ ପୁଣି ପୋଲ କାମରେ ବି ଟଙ୍କା ମାରି ନେବାକୁ ବସିଛନ୍ତି । ଆଉ ବେପରୁଆ ଢଙ୍ଗରେ ମନ ଗଢ଼ା କାହାଣୀ କହୁଛନ୍ତି ଠିକା କମ୍ପାନୀର କର୍ମଚାରୀ ।
ଏତେ ସବୁ ଖବର ପ୍ରସାରଣ କରିବା ପଛରେ ଗୋଟିଏ ଉଦ୍ଦେଶ୍ୟ, ଦୁର୍ନୀତିରେ ରୋକ୍ ଲାଗୁ। ଚିଲିକା ଟାପୁରେ ଚାଲିଥିବା ସମସ୍ତ ନିର୍ମାଣ ଉପରେ ପ୍ରଶାସନର ନଜର ରହୁ। ଉଚ୍ଚକୋଟିର କାର୍ଯ୍ୟ କରାଯାଉ, ସମସ୍ତ ଉନ୍ନତି ମୂଳକ କାମ ଆଉ ନିଜ ଅଧିକାରକୁ ଠିକ୍ ଭାବରେ ଉପ ଭୋଗକରନ୍ତୁ ସାଧାରଣ ଲୋକ ।
Follow Us