କନକ ବ୍ୟୁରୋ : ଏସ୍ଆଇ କେଳେଙ୍କାରୀର ତଦନ୍ତ ଯେତିକି ଆଗଉ ଛି , ସେତିକି ସେତିକି ନୂଆ ନୂଆ ଚେହେରା ପଦାକୁ ଆସିବାରେ ଲାଗିଛି । ଅଭିଯୁକ୍ତଙ୍କ ବୟାନ ଆଧାରରେ ସିଆଇଡିର ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ସିଆରପି ଛକରେ ଥିବା ବଣିକ ଇନଷ୍ଟିଚ୍ୟୁଟରେ ଛାପା ମାରିଛି । ଅଫିସ୍ ଭିତରେ ଥିବା କମ୍ପ୍ୟୁଟରରୁ ଡାଟା ସଂଗ୍ରହ କରିଛି ସିଆଇଡି । ହେଲେ ଏବେବି ମାଷ୍ଟର ମାଇଣ୍ଡ ଫେରାର । ଖୋଜା ଚାଲିଛି ତାଲିକା ପରେ, ତାଲିକା । ଏସ୍ଆଇ ଚାକିରି ମହାକେଳେଙ୍କାରୀର ତଥ୍ୟ ପ୍ରମାଣ ଖୋଜିବାକୁ ଲାଗିଛି ସିଆଇଡି ଟିମ୍ । ଏ ହେଉଛି ଭୁବନେଶ୍ବର ସିଆରପି ଛକରେ ଥିବା ବଣିକ ଇନଷ୍ଟିଚ୍ୟୁଟର ଭିଜୁଆଲ । କିଏ, କେଉଁ ପଦବୀ ପାଇଁ କେବେଠୁ ତାଲିମ ନେଇଥିଲେ ସେନେଇ ଆରମ୍ଭ ହୋଇଛି ଘଣ୍ଟା ଚକଟା ।
ଗିରଫ ୧୧୪ ଜଣ ଏସ୍ଆଇ ଆଶାୟୀଙ୍କ ଭିତରୁ ୧୦ ଜଣ ବଣିକ ଇନଷ୍ଟିଚ୍ୟୁଟରେ ପାଠ ପଢ଼ିଥିବାରୁ ସେମାନଙ୍କ ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚର ଏହି ସ୍ବତନ୍ତ୍ର ଟିମ୍ । ସେମାନଙ୍କ ଭିତରୁ ୬ ଜଣ ଏସ୍ଆଇ ଆଶାୟୀଙ୍କ ଡାଟା ବଣିକରୁ ସଂଗ୍ରହ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍ । ତେବେ ସମସ୍ତ ଡାଟା ଅନଲାଇନରେ ଥିବାରୁ ପେନଡ୍ରାଇଭ ଜରିଆରେ ସମସ୍ତ ତଥ୍ୟ, ପ୍ରମାଣ ହାତେଇଛି ତଦନ୍ତକାରୀ ଟିମ୍ । ଗତ ୫ ବର୍ଷ ଭିତରେ ପ୍ରାଶାସନିକ ନିଯୁକ୍ତି ପାଇଁ ପାଠ ପଢ଼ିଥିବା ସମସ୍ତ ଡାଟା ଏବେ କ୍ରାଇମବ୍ରାଞ୍ଚ ହାତରେ ।