କନକ ବ୍ୟୁରୋ : ପୁଣି ଧୋନୀଙ୍କ ଉପରେ ଅଭିଯୋଗ । ଇରଫାନ ପଠାନଙ୍କ ପରେ ମୁହଁ ଖୋଲିଲେ ପୂର୍ବତନ ଭାରତୀୟ ଖେଳାଳି ମନୋଜ ତିୱାରୀ । ମନୋଜ କହିଛନ୍ତି, ‘ସମସ୍ତେ ଜାଣନ୍ତି କଣ ଚାଲେ, କିନ୍ତୁ କେହି କୁହନ୍ତିନି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ ଆସିଛି । ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଏହି ଅଭିଯୋଗ ଆଣିଛନ୍ତି, ଯିଏ ୨୦୦୮ରେ ଅଷ୍ଟ୍ରେଲିଆରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ତିୱାରୀ, ୧୨ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ମନୋଜ କହିଛନ୍ତି, ତାଙ୍କୁ ଧୋନୀଙ୍କଠାରୁ କେବେ ବି ସମର୍ଥନ ମିଳିନଥିଲା । ତିୱାରୀ ଏକ ସାକ୍ଷାତକାରରେ କହିଛନ୍ତି, ସମସ୍ତେ ଧୋନୀଙ୍କ ପକ୍ଷପାତିତା ବିଷୟରେ ଜାଣନ୍ତି, କିନ୍ତୁ କେହି ମୁହଁ ଖୋଲି କହୁନାହାନ୍ତି । ମୁଁ ଧୋନୀଙ୍କୁ ଭେଟିଲେ,ଏ ବିଷୟରେ ନିଶ୍ଚିତ ଭାବେ କଥା ହେବି ବୋଲି ମନୋଜ କହିଛନ୍ତି । ତିୱାରୀଙ୍କ ଅନୁଯାୟୀ, ତାଙ୍କ କ୍ୟାରିୟରରେ ଆଘାତ ଏବଂ ଧୋନୀଙ୍କ ପକ୍ଷପାତିତା ଟିମ ଇଣ୍ଡିଆରୁ ଦୂରେଇ ରହିବା ଦୁଇଟି ମୁଖ୍ୟ କାରଣ ଥିଲା । ସାକ୍ଷାତକାରରେ ମନୋଜ କହିଛନ୍ତି, ଧୋନୀଙ୍କ ନେତୃତ୍ୱରେ ଯଥେଷ୍ଟ ସୁଯୋଗ ମିଳିନଥିଲା, କିନ୍ତୁ ଅନ୍ୟ ଖେଳାଳିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା । ତାଙ୍କ ଅଭିଯୋଗ ଅନୁଯାୟୀ, ଟିମ୍ ମ୍ୟାନେଜମେଣ୍ଟରେ ନିଷ୍ପତ୍ତି ନେବାରେ ଧୋନୀଙ୍କ ରୋଲ ଅଧିକ ଥିବା ସହ ଧୋନୀ ପକ୍ଷପାତିତା ମନୋଭାବ ରଖୁଥିଲେ। ଏହା ସତ୍ତ୍ୱେ, ମନୋଜ ଘରୋଇ କ୍ରିକେଟରେ ସଫଳ ରହିଥିଲେ, ବିଶେଷକରି ରଣଜୀ ଟ୍ରଫିରେ ବେଙ୍ଗଲ ପାଇଁ । ମନୋଜ ତିୱାରୀଙ୍କ ମନ୍ତବ୍ୟ ଟିମ୍ ସିଲେକ୍ସନରେ ପାରଦର୍ଶିତା ଏବଂ ନ୍ୟାୟ ଉପରେ ପ୍ରଶ୍ନ ଉଠାଇଛି । ଏହା ଭାରତୀୟ କ୍ରିକେଟରେ ଅଧିନାୟକଙ୍କ ପ୍ରଭାବ ଏବଂ ଦଳ ଚୟନ ପ୍ରକ୍ରିୟା ଉପରେ ନୂତନ ଆଲୋଚନା ଆରମ୍ଭ କରିଛି।