କନକ ବ୍ୟୁରୋ: CBSE ଦଶମ ପରୀକ୍ଷାରେ ବଡ଼ ପରିବର୍ତ୍ତନ । ଏଣିକି ବର୍ଷକୁ ଦୁଇଥର ସିବିଏସଇ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ସ୍କୋରରେ ଉନ୍ନତି ଆଣିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ଉଦ୍ୟମ କରାଯାଇଛି । ନୂଆ ଯୋଜନା ୨୦୨୬ରୁ କାର୍ଯ୍ୟକାରୀ ହେବ । ନୂଆ ଯୋଜନା ଅନୁସାରେ, ପ୍ରଥମ ପରୀକ୍ଷା ଫେବ୍ରୁଆରି ଏବଂ ଦ୍ୱିତୀୟ ପରୀକ୍ଷା ମେ’ ମାସରେ ହେବ । ଫେବ୍ରୁଆରିରେ ହେବାକୁ ଥିବା ପରୀକ୍ଷା ଫଳାଫଳ ଏପ୍ରିଲ ଏବଂ ମେ’ରେ ହେବାକୁଥିବା ପରୀକ୍ଷା ଫଳାଫଳ ଜୁନରେ ପ୍ରକାଶ ପାଇବ । ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଫେବ୍ରୁଆରି ମଧ୍ୟଭାଗରେ ହେବାକୁ ଥିବା ପ୍ରଥମ ପରୀକ୍ଷାରେ ଯୋଗଦେବାକୁ ପଡ଼ିବ । ଯେଉଁମାନେ ସେମାନଙ୍କର ସ୍କୋରକୁ ଉନ୍ନତ କରିବାକୁ ଚାହୁଛନ୍ତି କିମ୍ବା ତିନୋଟି ବିଷୟରେ ଅଧିକ ମାର୍କ ରଖିବାକୁ ଚାହୁଛନ୍ତି ସେମାନେ ମେ’ ମାସରେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ ।
ବର୍ଷକୁ ଦୁଇଥର CBSE ପରୀକ୍ଷା
- ବର୍ଷକୁ ଦୁଇଥର CBSE ପରୀକ୍ଷାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅନୁମୋଦନ
- ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ
- ଦ୍ବିତୀୟ ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜ ଇଚ୍ଛା ଅନୁସାରେ ଦେଇପାରିବେ
- ଛାତ୍ରଛାତ୍ରୀ ନିଜ ସ୍କୋରରେ ସୁଧାର ଆଣିବା ପାଇଁ ଦ୍ବିତୀୟଥର ପରୀକ୍ଷା ଦେଇପାରିବେ
- ନୂଆ ନିୟମ ଅନୁସାରେ, ଇଣ୍ଟରନାଲ ଆସେସମେଣ୍ଟ ବର୍ଷକୁ ଥରେ ହେବ
- CBSE ଦଶମ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୭ରୁ ମାର୍ଚ୍ଚ ୬ ଯାଏଁ ହେବ
- ଦ୍ବିତୀୟ ପର୍ଯ୍ୟାୟ ମେ’ ୫ରୁ ୨୦ ତାରିଖ ଯାଏଁ ହେବ
- ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାର ସିଲାବସରେ ଗୋଟିଏ ପାଠ୍ୟକ୍ରମ ସାମିଲ ହେବ
- ଦୁଇଟିଯାକ ପରୀକ୍ଷାରୁ ଅଧିକ ମାର୍କ ରଖିଥିବା ପରୀକ୍ଷାକୁ ଫାଇନାଲ ଧରାଯିବ
- ଯଦି ପ୍ରଥମ ପରୀକ୍ଷାରେ ଅଧିକ ମାର୍କ ଏବଂ ଦ୍ବିତୀୟ ପରୀକ୍ଷାରେ କମ୍ ଆସିଲେ ପ୍ରଥମ ପର୍ଯ୍ୟାୟ ଫଳାଫଳକୁ ଧରାଯିବ
- ପରୀକ୍ଷାର୍ଥୀଙ୍କୁ ତିନୋଟି ବିଷୟରେ ଭଲ ପ୍ରଦର୍ଶନ କରିବାକୁ ଅନୁମତି ମିଳିବ
- ପରୀକ୍ଷାର୍ଥୀ ୩ କିମ୍ବା ତା’ଠାରୁ ଅଧିକ ବିଷୟରେ ପରୀକ୍ଷା ନଦେଲେ ଦ୍ବିତୀୟ ପରୀକ୍ଷା ପାଇଁ ଅନୁମତି ମିଳିବନି