କନକ ବ୍ୟୁରୋ : ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି । ଭାରତରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାକୁ ଦେଖିବା ବିଦେଶୀମାନଙ୍କ ସ୍ୱପ୍ନ । କିନ୍ତୁ ସେମାନଙ୍କ ପାଇଁ ଭାରତ ଆସିବା ସେତେ ସହଜ ନୁହେଁ । ଯିବାଆସିବା ବେଳେ ବିମାନବନ୍ଦରରେ ସେମାନଙ୍କୁ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ । ହେଲେ ବର୍ତ୍ତମାନ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ , ଆଜି ଅର୍ଥାତ୍ ଅକ୍ଟୋବର ୧ରୁ ପୂର୍ବରୁ ଥିବା ନିୟମରେ ହେବ କିଛି ପରିବର୍ତ୍ତନ ।
ଟ୍ରାଭେଲ୍ , ପାଠପଢ଼ା ,ବିଜ୍ନେସ୍ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭାରତ ଆସୁଥିବା ବିଦେଶୀମାନଙ୍କୁ ଗୋଟିଏ ଡିଜିଟାଲ ଆଗମନ କାର୍ଡ ଦାଖଲ କରିବାକୁ ପଡିବ । ଯାହା ପରେ ସେମାନେ ସହଜରେ ଭାରତରେ ପ୍ରବେଶ କରିପାରିବେ । E-Arrival Card ଅର୍ଥାତ୍ ଇ-ଆଗମନ କାର୍ଡ ପାଇବା ପାଇଁ ବିଦେଶୀ ନାଗରିକମାନଙ୍କୁ ସେମାନଙ୍କର ପାସପୋର୍ଟ ନମ୍ବର, ଜାତୀୟତା, ଭାରତ ଆସିବାର କାରଣ, ଭାରତରେ ରହିବା ସ୍ଥାନ ଏବଂ ମୋବାଇଲ୍ ନମ୍ବର ପଞ୍ଜୀକୃତ କରିବାକୁ ପଡିବ । ଏହା ବ୍ୟତୀତ କୌଣସି ଦଲିଲ ଦାଖଲ କରିବାର ଆବଶ୍ୟକତା ନାହିଁ । ଭାରତୀୟ ନାଗରିକ କିମ୍ବା ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଡିଜିଟାଲ କାର୍ଡ ବାଧ୍ୟତାମୂଳକ ନୁହେଁ ।
ସୂଚନା ଅନୁସାରେ ବର୍ତ୍ତମାନ ଯଦି କୌଣସି ବିଦେଶୀ ଭାରତ ଆସନ୍ତି, ସେମାନଙ୍କୁ ବିମାନବନ୍ଦରରେ ଥିବା ଇମିଗ୍ରେସନ କାର୍ଯ୍ୟାଳୟରେ ଆଗମନ ଫର୍ମ ପୂରଣ କରିବାକୁ ପଡିଥାଏ । ଅନେକ ସମୟରେ ଏହି ପ୍ରକ୍ରିୟାରେ ଅଧିକ ସମୟ ଲାଗିଥାଏ । ଏଭଳି ପରିସ୍ଥିତିରେ, ଇ-ଆରାଇଭାଲ୍ କାର୍ଡ ଦ୍ୱାରା ଏହି ପ୍ରକ୍ରିୟା ଡିଜିଟାଲ ମାଧ୍ୟମରେ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରାଯାଇପାରିବ ।
ଗୃହ ମନ୍ତ୍ରଣାଳୟ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ବିଦେଶୀମାନଙ୍କୁ ଭାରତରେ ପ୍ରବେଶ କରିବା ସହଜ କରିବାକୁ ଏହି ଯୋଜନା କରିଛି । ଦେଶର ଅନେକ ବିମାନବନ୍ଦରରେ ଫାଷ୍ଟ ଟ୍ରାକ ଇମିଗ୍ରେସନ ଟ୍ରଷ୍ଟେଡ ଟ୍ରାଭେଲର ପ୍ରୋଗ୍ରାମ ଚଲାଯିବ । ଯାହାର ବ୍ୟବହାର ବିଦେଶରେ ରହୁଥିବା ଭାରତୀୟମାନେ କରିପାରିବେ । ଫାଷ୍ଟ୍ ଟ୍ରାକ ଇମିଗ୍ରେସନ ଟ୍ରଷ୍ଟେଡ ଟ୍ରାଭେଲର ପ୍ରୋଗ୍ରାମ ପ୍ରଥମେ ୨୦୨୪ରେ ଦିଲ୍ଲୀ ବିମାନବନ୍ଦରରୁ ଆରମ୍ଭ କରାଯାଇଥିଲା । ଯାହା ପରେ ଏହା ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, କୋଚି ଏବଂ ଅହମ୍ମଦାବାଦରେ ଲାଗୁ କରାଯାଇଥିଲା । ବର୍ତ୍ତମାନ ଏହା ଲକ୍ଷ୍ନୌ, ଥିରୁବନନ୍ତପୁରମ, ତ୍ରିଚି, କୋଜିକୋଡ ଏବଂ ଅମୃତସର ବିମାନବନ୍ଦରରେ ମଧ୍ୟ ଲାଗୁ ହେବ ।