କନକ ବ୍ୟୁରୋ : ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ୱାସିଂଟନ୍ ପୋଷ୍ଟର ସିଇଓ ତଥା ପ୍ରକାଶକ ୱିଲ୍ ଲୁଇସ୍ ହଠାତ୍ ଇସ୍ତଫା ଦେଇଛନ୍ତି। ଖବରକାଗଜ ଏହାର ଏକ ତୃତୀୟାଂଶ କର୍ମଚାରୀଙ୍କୁ ଛଟେଇ ଘୋଷଣା କରିବାର ମାତ୍ର ତିନି ଦିନ ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ଛଟେଇ ନିଷ୍ପତ୍ତି ନ୍ୟୁଜରୁମ୍ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା । ଲୁଇସ୍ ଶନିବାର ତାଙ୍କ କର୍ମଚାରୀମାନଙ୍କ ପାଖକୁ ପଠାଯାଇଥିବା ଏକ ସଂକ୍ଷିପ୍ତ ଇମେଲରେ ଇସ୍ତଫା ଘୋଷଣା କରି ତାଙ୍କ ନିଷ୍ପତ୍ତିକୁ ସମୟୋଚିତ ବୋଲି କହିଛନ୍ତି।।ସୂଚନା ଅନୁଯାୟୀ, ଇମେଲରେ ଲୁଇସ୍ ଲେଖିଛନ୍ତି, ଦି ୱାସିଂଟନ୍ ପୋଷ୍ଟରେ ଦୁଇ ବର୍ଷ ପରିବର୍ତ୍ତନ ପରେ, ଏବେ ମୋ ପାଇଁ ପଦ ଛାଡିବାର ସଠିକ୍ ସମୟ। ମୁଁ ଜେଫ୍ ବେଜୋସ୍‌ଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି। ସେ ମୋ କାର୍ଯ୍ୟକାଳ ମଧ୍ୟରେ ମୋତେ ସମର୍ଥନ କରିଛନ୍ତି। ଲୁଇସ୍ ସଂଗଠନର ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ କଷ୍ଟକର ନିଷ୍ପତ୍ତି ନେବା ବିଷୟରେ କହିଛନ୍ତି। ଯାହା ଦ୍ବାରା ଦି ୱାସିଂଟନ୍ ପୋଷ୍ଟ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଲଗାତାର ଉଚ୍ଚମାନର ନିରପେକ୍ଷ ଖବର ପ୍ରସାରଣ କରିପାରିବ ।

Advertisment

ବିବୃତି ନେଇ କଡ଼ା ସମାଲୋଚନା

ଲୁଇସ୍‌ଙ୍କ ଇସ୍ତଫା ଓ ଇମେଲ୍‌ କର୍ମଚାରୀ ତଥା ସାମ୍ବାଦିକଙ୍କ ପ୍ରତି ତାଙ୍କର ସମ୍ବେଦନହୀନ ମନୋଭାବ ନେଇ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି । ଅନେକ ସୋସିଆଲ ମିଡିଆ ୟୁଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ମାଲିକଙ୍କ ପାଇଁ ପ୍ରଶଂସା, କିନ୍ତୁ କର୍ମଚାରୀଙ୍କ ପାଇଁ ପଦେ ବି ନୁହିଁ । ତାଙ୍କର ପାଠକ ପରିବର୍ତ୍ତେ ଗ୍ରାହକ ଶବ୍ଦ ବ୍ୟବହାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଯାଇଛି। ଯାହା ଖବରକାଗଜର ବାଣିଜ୍ୟିକ ମାନସିକତାକୁ ପ୍ରତିଫଳିତ କରୁଛି ।

ଅଧିକ ପଢ଼ନ୍ତୁ---ମହାକାଶରୁ ଶତ୍ରୁଙ୍କ ଉପରେ କଡ଼ା ନଜର: ଗୁପ୍ତଚରୀ ପାଇଁ କକ୍ଷପଥରେ ଭାରତର ତୃତୀୟ ନୟନ

ଆଗକୁ ରାସ୍ତା କଷ୍ଟକର

ଲୁଇସ୍‌ଙ୍କ କାର୍ଯ୍ୟକାଳ ମଧ୍ୟରେ ୱାସିଂଟନ୍‌ ପୋଷ୍ଟ ଲଗାତାର ଆର୍ଥିକ କ୍ଷତି ସହିଥିଲା। ସାମ୍ପ୍ରତିକ ଛଟେଇରେ ସ୍ଥାନୀୟ, ଆନ୍ତର୍ଜାତୀୟ, କ୍ରୀଡ଼ା ଓ ଫଟୋଗ୍ରାଫି ବିଭାଗରୁ ପ୍ରାୟ ୩୦୦ ସାମ୍ବାଦିକଙ୍କୁ ଛଟେଇ କରାଯାଇଥିଲା। କଂଗ୍ରେସ ନେତା ଶଶି ଥରୁରଙ୍କ ପୁଅ ଈଶାନ ଥରୁରଙ୍କୁ ମଧ୍ୟ ଛଟେଇ କରାଯାଇଥିଲା। ଏହାକୁ ନେଇ ଭାରତରେ ଆଲୋଚନା ହୋଇଥିଲା। ଛଟେଇ ବ୍ୟତୀତ, ଆକବର କ୍ରୀଡ଼ା ବିଭାଗକୁ ମଧ୍ୟ ବନ୍ଦ କରିଦେଇଥିଲେ। ଏହି ନିଷ୍ପତ୍ତି ସମୟରେ ଲୁଇସ୍ ଓ ବେଜୋସ୍ କର୍ମଚାରୀ ବୈଠକରେ ଉପସ୍ଥିତ ନଥିଲେ। ଯାହା ସମାଲୋଚନାକୁ ଆହୁରି ଇନ୍ଧନ ଯୋଗାଇଥିଲା ।

ଲୁଇସ୍‌ଙ୍କ ଇସ୍ତଫା ପରେ, ୱାସିଂଟନ୍ ପୋଷ୍ଟର ମୁଖ୍ୟ ଆର୍ଥିକ ଅଧିକାରୀ ଜେଫ୍ ଡି' ଅନୋଫ୍ରିଓଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରକାଶକ ତଥା ସିଇଓ ଭାବେ ନିଯୁକ୍ତ କରାଯାଇଛି। ଖବରକାଗଜ ଆଭ୍ୟନ୍ତରୀଣ ବିବାଦ ଓ କର୍ମଚାରୀ ଛଟେଇ ସମାଲୋଚନାର ଶିକାର ହେବାରେ ଲାଗିଛି । ସେନେଟର ବର୍ନି ସାଣ୍ଡର୍ସ ଏବଂ ଏଲିଜାବେଥ ୱାରେନଙ୍କ ଭଳି ପ୍ରମୁଖ ରାଜନେତା ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି ।