କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ପ୍ରଶାସନକୁ ଅନ୍ତରାଷ୍ଟ୍ରୀୟ ବ୍ୟବସାୟ ଅଦାଲତ ବଡ଼ ଝଟକା ଦେଇଛନ୍ତି । ବିଭିନ୍ନ ଦେଶ ଉପରେ ମନଇଚ୍ଛା ଟାରିଫ୍ ଲଗାଇବା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । କୋର୍ଟଙ୍କ ଏଭଳି ନିଷ୍ପତ୍ତି ଫଳରେ ଟ୍ରମ୍ପଙ୍କ ଆର୍ଥିକ ନୀତି ଉପରେ ଜୋରଦାର ଝଟକା ଲାଗିଛି । ମ୍ୟାନହଟ୍ଟନରେ ଥିବା ଅନ୍ତରାଷ୍ଟ୍ରୀୟ ବ୍ୟବସାୟ ଅଦାଲତର ୩ ଜଣ ବିଚାରପତି ବୁଧବାର ଦିନ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି, ଟ୍ରମ୍ପ ଜରୁରୀକାଳୀନ ଆଇନର ଅପବ୍ୟବହାର କରି ଏଭଳି ଟାରିଫ୍ ଲଗାଇଛନ୍ତି ।
ଅନ୍ତରାଷ୍ଟ୍ରୀୟ ବ୍ୟବସାୟ କୋର୍ଟର ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ ପ୍ରଶାସନ ଫେଡରାଲ କୋର୍ଟରେ ଆବେଦନ କରିଛନ୍ତି । ହ୍ୱାଇଟ୍ ହାଉସ୍ ପ୍ରବକ୍ତା କହିଛନ୍ତି କି, ଫେଡରାଲ କୋର୍ଟ ଏହି ଟାରିଫ୍ ନିଷ୍ପତ୍ତି ସପକ୍ଷରେ ରାୟ ଶୁଣାଇଥିଲେ । ଏହା ଜରୁରୀକାଳୀନ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ଉପରେ ବିଚାର କୌଣସି ଅନ୍ୟ ବିଚାରପତି କରିବା କଥା ନୁହେଁ । କେବଳ ସେତିକି ନୁହେଁ ଅନ୍ତରାଷ୍ଟ୍ରୀୟ ବ୍ୟବସାୟ କୋର୍ଟ କହିଛନ୍ତି କି, ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିଜ ପଦରୁ ଆଗକୁ ଯାଇ ଅନେକ ଅନାବଶ୍ୟକ ନିଷ୍ପତ୍ତି ନେବାରେ ଲାଗିଛନ୍ତି ।