କନକ ବ୍ୟୁରୋ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ । ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଯୋଗୁ ଯୁକ୍ତ ତିନି ତୃତୀୟ ସେମିଷ୍ଟରରେ ୭୦ ଭାଗ ପିଲାଙ୍କୁ ଫେଲ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅନେକ ପିଲାଙ୍କ ଶୂନ ମାର୍କ ମିଳିଛି । ଉପସ୍ଥିତ ଥାଇ ମଧ୍ୟ ଅନୁପସ୍ଥିତ ଦର୍ଶାଯାଇଛି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ବିରୋଧରେ ବଡ଼ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ଯୁକ୍ତ ତିନି ଛାତ୍ରଛାତ୍ରୀ ।

Advertisment

ଚଳିତ ଯୁକ୍ତ ତିନି ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ ଛାତ୍ରଛାତ୍ରୀଙ୍କ ତୃତୀୟ ସେମିଷ୍ଟର ମୂଲ୍ୟାୟନରେ ବ୍ୟାପକ ତ୍ରୁଟି । ଅନେକ ମେଧାବୀ ପିଲାଙ୍କ ସହ ପ୍ରାୟ ୭୫% ପିଲା ତ୍ରୁଟିପୂର୍ଣ୍ଣ ମାର୍କିଂ ଯୋଗୁ ଏକାଧିକ ବିଷୟରେ ଫେଲ ହୋଇଛନ୍ତି । ବିଶ୍ୱ ବିଦ୍ୟାଳୟ ବିରୋଧରେ ଏଭଳି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ମାଲକାନଗିରି ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ।  

ମାଲକାନଗିରି ମଡେଲ ଡିଗ୍ରୀ କଲେଜର ୩୦୭ ପିଲା ପରୀକ୍ଷା ଦେଇଥିଲେ । ୨୨୨ ପିଲା ଫେଲ ହୋଇଛନ୍ତି । ସେହିପରି ମାଲାକନଗିରି ମହାବିଦ୍ୟାଳୟରେ ୩୨୯ ପିଲାଙ୍କ ମଧ୍ୟରୁ ୨୦୧ ଜଣଙ୍କ ବ୍ୟାକ ଲାଗିଛି । ଏମିତି ୧୦ଟି କଲେଜରେ ପ୍ରାୟ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ପରୀକ୍ଷା ଦେଇଛନ୍ତି । ପ୍ରାୟ ୭୫ ଭାଗ ଫେଲ ହୋଇଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ କେମିଷ୍ଟ୍ରି ଓ କମୁନିକେଟିଭ ଇଂରାଜୀରେ ଫେଲ ହୋଇଥିବା ଜଣାପଡିଛି । ଉଚ୍ଚ ଶିକ୍ଷା ବିଭାଗ ଇତିହାସରେ ଏପରି ବିଭ୍ରାଟ କେବେ ହୋଇନଥିବା କହିଛନ୍ତି ଶିକ୍ଷାବିତ।