କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀର ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବୈସରନ ଘାଟିରେ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରର ୧୨ ଟିରୁ ଅଧିକ ରିସୋର୍ଟର୍ସ ଓ ଅଧାରୁ ଅଧିକ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।
କାଶ୍ମୀର ପ୍ରଶାସନ ତରଫରୁ ଅତି କମରେ ୪୮ ଟି ରିସୋର୍ଟସ୍ ବନ୍ଦ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ପ୍ରସିଦ୍ଧ ବଡଗାମ, ଦୁଧପଥରୀ, ଅନନ୍ତନାଗର ବୈରିନାଗ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରତିବନ୍ଧକ ଲଗାଯାଇଛି ।
ସେପଟେ ସୌନ୍ଦର୍ଯ୍ୟରେ ଭରା ଘାଟି ଓ ପାହାଡ ପାଇଁ ପ୍ରସିଦ୍ଧ ଜମ୍ମୁ-କାଶ୍ମୀରରେ ପୁଣି ଥରେ ସୁରକ୍ଷାବଳଙ୍କ ପ୍ରହରା ଆରମ୍ଭ ହୋଇଛି । ପ୍ରଶାସନର କହିବା କଥା ଏଭଳି ସୁରକ୍ଷା ଲୋକଙ୍କ ସୁରକ୍ଷାକୁ ନଜରରେ ରଖି କରାଯାଇଛି । ହେଲେ ପରିସ୍ଥିତି ବଦଳିବା ପରେ ପର୍ଯ୍ୟଟକମାନେ ଏସବୁ ସ୍ଥାନକୁ ଯାଇପାରିବେ ।
ସୂଚନା ଥାଉ କି, ଗୋଟିଏ ସପ୍ତାହ ତଳେ ପହଲଗାମ ବଜାରରେ ଭରପୁର ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏବେ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ପାଇଛି । ଏଣୁ ସ୍ଥାନୀୟ ବ୍ୟବସାୟୀଙ୍କ ରୋଜଗାର ଉପରେ ଏହାର ବଡ଼ ପ୍ରଭାବ ପଡିଛି ।