କନକ ବ୍ୟୁରୋ : ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି । ପ୍ରଥମେ ସେ ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ଏଟିଏସିଏମଏସ ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇ ବିଶ୍ଵରେ ଯୁଦ୍ଧ ପରିସ୍ଥିତିକୁ ଅଧିକ ଘନୀଭୂତ କଲେ । ଏବେ ଯିବା ପୂର୍ବରୁ ନିଜ ପୁଅକୁ ରାଜକ୍ଷମା ଦେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ବାଇଡେନ କହିଥିଲେ ଯେ, ସେ ତାଙ୍କ ପୁଅକୁ କ୍ଷମା କରିବା ଲାଗି ରାଷ୍ଟ୍ରପତି ପଦବୀର କୌଣସି ପ୍ରକାର କ୍ଷମତା ବ୍ୟବହାର କରିବେ ନାହିଁ । ମାତ୍ର ବିଦାୟ ନେବା ପୂର୍ବରୁ ନିଜ କଥାକୁ ନିଜେ ଭାଙ୍ଗି ପୁଅ ପାଇଁ ନିଜ ପଦବୀର ଅପବ୍ୟବହାର କରିଥିବା ଚର୍ଚ୍ଚା ହେଉଛି ।
ଫଳରେ ପୁଅ ହଣ୍ଟର ବାଇଡେନଙ୍କୁ ଉକ୍ତ ଅପରାଧରେ ଆଉ କୌଣସି ପ୍ରକାର ଦଣ୍ଡବିଧାନ କରାଯାଇପାରିବ ନାହିଁ । ୨ ସପ୍ତାହ ତଳେ ବାଇଡେନ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ରୁଷ ବିରୋଧରେ ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିଲେ । ଏହାର ବ୍ୟବହାର ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଅଧିକ ଘନୀଭୂତ କରିବ ଏବଂ ଏହାଦ୍ଵାରା ବିଶ୍ଵଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ରହିଥିବା ଜାଣି ବି ବାଇଡେନ ଏପରି ନିଷ୍ପତ୍ତି ନେଇଥିଲେ । ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାସନ ଭାର ହାତକୁ ନେବା ପରେ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବେ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ବାଇଡେନଙ୍କ ନିଷ୍ପତ୍ତି ଟ୍ରମ୍ପଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସ୍ପଷ୍ଟ ବୁଝାପଡ଼ିଥିଲା ।