କନକ ବ୍ୟୁରୋ: ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ, ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ ପରଲୋକ । ୬୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତେବେ ବିବେକ ଦେବରାୟଙ୍କର ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବଡ ଅବଦାନ ରହିଛି । ଖାସ୍ କରି ଆର୍ଥିକ ନୀତିକୁ ଆକାର ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ । ତେଣୁ ତାଙ୍କ ବିୟୋଗରେ ଆଜି ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଇଥିବା ବିବେକ ଦେବରାୟ ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥନୀତି ସଂସ୍ଥାନରେ କୁଳାଧିପତି ଭାବେ କାର୍ୟ୍ୟ କରିଥିଲେ । ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ୟ୍ୟନ୍ତ ସେ ନୀତି ଆୟୋଗର ମଧ୍ୟ ସଦସ୍ୟ ଥିଲେ । ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବେକ ଦେବରାୟଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ଲେଖିଛନ୍ତି ଯେ, ମୁଁ ଡକ୍ଟର ଦେବରାୟଙ୍କୁ ବହୁତ ବର୍ଷରୁ ଜାଣିଛି । ମୁଁ ତାଙ୍କ ଅନ୍ତଦୃଷ୍ଟି ଏବଂ ଏକାଡେମିକ ଚର୍ଚ୍ଚାକୁ ସବୁବେଳେ ମନେରଖିବି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।