Bhupindar Photograph: (kanak news)
କନକ ବ୍ୟୁରୋ : ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ଏକ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ ବିଜେଡି ଭାଗ ଭାଗ ହୋଇଯିବ । ଭୂପିନ୍ଦରଙ୍କ ଅନୁସାରେ, ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦଳରେ କୌଣସି ନୂଆ ଚେହେରାକୁ ନେତୃତ୍ୱକୁ ଆଣିବା ପାଇଁ ଏହା ଠିକ୍ ସମୟ ନୁହେଁ । ଦଳ ଭିତରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନୂଆ ଲୋକଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ବିଷୟରେ ନବୀନ ପଟ୍ଟନାୟକ ଭଲ ଭାବେ ଅବଗତ ଅଛନ୍ତି । କିନ୍ତୁ ଏଭଳି ପ୍ରୟାସ ସଫଳ ହେବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଭୂପିନ୍ଦରଙ୍କ ବୟାନରୁ ଦଳର ଆଭ୍ୟନ୍ତରୀଣ ଅସନ୍ତୋଷ ସ୍ପଷ୍ଟ ବାରି ହୋଇ ପଡୁଛି । ସେ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ବିଜେଡି ମାତ୍ର ୩ରୁ ୪ ଜଣ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହା ଆଦୌ ଠିକ୍ ନୁହଁ। ଏହି କାରଣରୁ ଉଭୟ ବରିଷ୍ଠ ଓ କନିଷ୍ଠ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି ଏବଂ ସେମାନେ ଏକାଠି ହୋଇ ବାରମ୍ବାର ବୈଠକ କରୁଛନ୍ତି । ତାଙ୍କ ମତରେ, ଦଳରେ କୌଣସି ଏକଚାଟିଆ ଶାସନ ନୁହେଁ, ବରଂ ଗୋଟିଏ ସମ୍ପୂର୍ଣ୍ଣ 'ଟିମ୍' ଭାବେ କାମ ହେବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ---ନବୀନ ନିବାସରେ ନୂଆପଡ଼ା ପରାଜୟର ସମୀକ୍ଷା : ତୃଣମୂଳ ସ୍ତରରେ ଲଢେଇ ପାଇଁ ନବୀନଙ୍କ ଆହ୍ୱାନ
ଶେଷରେ ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ନିଜେ ସିଧାସଳଖ ଦଳର ପରିଚାଳନା ଭାର ହାତକୁ ନେବା ଉଚିତ । ଯଦି ସେ ନେତୃତ୍ୱ ନନିଅନ୍ତି, ତେବେ ଦଳ ରହିବ ନାହିଁ । ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ଏହି ମନ୍ତବ୍ୟ ଦଳୀୟ କନ୍ଦଳକୁ ପଦାରେ ପକାଇବା ସହ ଆଗାମୀ ଦିନରେ ବିଜେଡିର ରଣନୀତି କଣ ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Follow Us