କନକ ବ୍ୟୁରୋ: ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାରେ ଶିକ୍ଷିତ ବେକାର ଯୁବକ ରୋଜଗାର ପାଇଁ ସଂଘର୍ଷ କରୁଥିବା ସମୟରେ ଆଶାର ଆଲୋକ ଦେଖାଇ ପିଏମଇଜିପି । ଆଦିବାସୀ ଅଧ୍ୟୁଷିତ ତିଲେଇବଣୀ ବ୍ଲକର ଜଣେ ଶିକ୍ଷିତ ଯୁବକ ଜିଲ୍ଲା ଶିଳ୍ପକେନ୍ଦ୍ର ସହାୟତାରେ PMEGP(Prime Minister's Employment Generation Programme)ରେ ଆତ୍ମନିର୍ଭରଶୀଳ ହେବା ସହ ଅନେକଙ୍କ ପାଇଁ ରୋଜଗାରର ବାଟ ଫିଟାଇଛନ୍ତି ।
ଦେବଗଡ଼ ଜିଲ୍ଲା ତିଲେଇବଣୀ ଅଞ୍ଚଳର ଉଚ୍ଚଶିକ୍ଷିତ ଯୁବକ ଭୂପେନ୍ଦ୍ର ପ୍ରସାଦ ନାୟକ । ପଶୁଖାଦ୍ୟ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା କରି ଭୂପେନ୍ଦ୍ର ଆତ୍ମନିର୍ଭରଶୀଳ ହେବା ସହ ପ୍ରାୟ ୨୦ ଜଣ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୨୧ ମସିହାରେ ଭୂପେନ୍ଦ୍ର ଦେବଗଡ଼ ଜିଲ୍ଲା ଶିଳ୍ପକେନ୍ଦ୍ର ସହାୟତାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ବା ପିଏମଇଜିପିରେ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଋଣ ଆଣି ପଶୁଖାଦ୍ୟ ଉତ୍ପାଦନ ପାଇଁ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାଏକ ଲାଭଦାୟକ ସଂସ୍ଥା ପାଲଟିଛି ।
ପଶୁଖାଦ୍ୟ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଳ ମୁଖ୍ୟତଃ ନବରଙ୍ଗପୁର ଜିଲ୍ଲାର ଉମରକୋଟରୁ ମକା ଆସିଥାଏ । ସେହିପରି ମହାରାଷ୍ଟ୍ରର ନାଗପୁରରୁ ସୋୟା, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାରୁ ଡାଲି ଅଣାଯାଉଥିବା ବେଳେ ସ୍ଥାନୀୟ ରାଇସ ମିଲରୁ ରାଇସବ୍ରାନ ଓ ସ୍ଥାନୀୟ ଆଖୁଚାଷୀଙ୍କଠାରୁ ଗୁଡ଼ ସଂଗ୍ରହ କରି ପଶୁଖାଦ୍ୟ ପ୍ରସ୍ତୁତ କରାଯାଉଛି । ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାକୁ ରପ୍ତାନୀ ହେଉଛି ଭୂପେନ୍ଦ୍ରଙ୍କ ପ୍ରସ୍ତୁତ ପଶୁଖାଦ୍ୟ । ଦୈନିକ ୧୦ ଟନ୍ ପଶୁଖାଦ୍ୟ ଉତ୍ପାଦନ ହେଉଥିବା ବେଳେ ଗ୍ରାହକଙ୍କ ପସନ୍ଦ ପାଲଟିଛି । ବର୍ତ୍ତମାନ ସମୟରେ ବେରୋଜଗାରୀ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ଭୂପେନ୍ଦ୍ରଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।