କନକ ବ୍ୟୁରୋ : ପୁଣି ମାତିଲେଣି ଏଟିଏମ୍ ଲୁଟେରା। ଭୁବନେଶ୍ବର ସାମନ୍ତରାପୁରରୁ ଏଟିଏମ୍ ତାଡ଼ି ଫୋପାଡିଲେ ଗଙ୍ଗୁଆ ନାଳରେ । ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ କିଭଳି ବିଳମ୍ବିତ ରାତିରେ ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କା ଏହାର ପ୍ରମାଣ କଏଦ ହୋଇଛି ସିସିଟିଭିରେ । ପୋଲିସର କହିବା ଅନୁସାରେ କାଳେ ଲୋକେ ଲୁଟେରାଙ୍କ ଉପରେ ସନ୍ଦେହ କରିବେ ସେଥିପାଇଁ ଏଟିଏମରେ ଟଙ୍କା ଲୋଡ କରିବା ପାଇଁ ଆସୁଥିବା ବ୍ୟାଙ୍କ କର୍ମଚାରିଙ୍କ ପୋଷାକ ପରିଧାନ କରିଥିଲେ ।
ଏଟିଏମ ଭିତରକୁ ସିନା ପଶିଗଲେ ହେଲେ ଏଟିଏମରୁ ଟଙ୍କା ଚୋରି କରିବାକୁ ଅସମର୍ଥ ହେଲେ । ତେଣୁ କୌଣସି ଉପାୟ ନପାଇ ସମ୍ପୁର୍ଣ ଏଟିଏମ କୁ ତାଡିନେଇଥିଲେ ଓ ଏକ ଚୋରା ଡାଲା ଅଟୋରେ ଲୋଡ କରି ଫେରାର ହୋଇଯାଇଥିଲେ। ଗଲେ । କଥା ଏତିକିରେ ସରି ନଥିଲା । ଏଟିଏମ ମେସିନକୁ ନେଇ ଗଙ୍ଗୁଆ ନାଳ ନିକଟକୁ ଯାଇଥିଲେ ଏହି ଦୁର୍ବୁତ୍ତ। ସେଠାରେ ମେସିନକୁ ଭାଙ୍ଗି ତା ଭିତରେ ଥିବା ପାଖାପାଖି ଦଶ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲେ ।
ରାଜଧାନୀରେ ଏଟିଏମ ରୁ ଲୁଟ ହେବା କିଛି ନୁଆ କଥା ନୁହେଁ । ପୁର୍ବରୁ ମଧ୍ୟ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏସବିଆଇ ଏଟିଏମରୁ ଏହି ଲୁଟେରା ମାନେ ପାଖାପାଖି ୧୫ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ତାର କିଛିଦିନ ପୁର୍ବରୁ ଲିଙ୍ଗିପୁର ଅଞ୍ଚଳରୁ ମଧ୍ୟ ସମାନ ଢଙ୍ଗରେ ଏଟିଏମ ତାଡି ସବୁ ଲୁଟି ନେଇଯାଇଥିଲେ ଦୁର୍ବୁତ୍ତ । ଏପରିକି ଧରା ନପଡିବା ପାଇଁ ଏଟିଏମରେ ଲାଗିଥିବା ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଚୋରି କରିଥିଲେ । ହେଲେ ଏବେବି ସେହି ଦୁର୍ବୁତ୍ତ ମାନଙ୍କୁ ଧରିବାରେ ସଫଳ ହେଇନି କମିଶନରେଟ ପୋଲିସ । ତେବେ କିଛି ନିର୍ଦିଷ୍ଟ ଗ୍ୟାଙ୍ଗ ଏହି ଚୋରିରେ ସାମିଲ ଥିବା ସନ୍ଦେହ କରୁଛି ପୋଲିସ । ଏମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।
ଗୁରୁତ୍ୱପୁର୍ଣ କଥା ହେଉଛି ଅନେକ ଏଟିଏମ ଗୁଡିକରେ ରହୁନାହାନ୍ତି ସୁରକ୍ଷାକର୍ମୀ । ବ୍ୟାଙ୍କ କର୍ତୁପକ୍ଷଙ୍କୁ ଏଟିଏମ ଗୁଡିକରେ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ସେମାନେ କର୍ଣପାତ କରୁନାହାନ୍ତି । ସେହି କାରଣରୁ ଲୁଟେରାଙ୍କୁ ଲୁଟ କରିବା ପାଇଁ ସୁବିଧା ହେଉଛି ।