କନକବ୍ୟୁରୋ: ଭାରତବର୍ଷରେ ସ୍ୱଚ୍ଛ ବାୟୁରେ ଭୁବନେଶ୍ବର ସ୍ଥାନ ସପ୍ତମ। ରାଜସ୍ଥାନର ଜୟପୁରରେ ହୋଇଥିବା ପରିବେଶ ସମ୍ବନ୍ଧୀୟ କର୍ମଶାଳାରେ ଆସିଥିବା ରିପୋର୍ଟ୍ ଏହି ତଥ୍ୟ ଦେଇଛି। ଆଜି ନୀଳ ଆକାଶ ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପାଳିତ ହୋଇଥିବା ସ୍ୱଚ୍ଛ ବାୟୁ ଦିବସ ଅବସରରେ ଏଭଳି ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ। ଏହି ଅବସରରେ ବିଜୁ ପଟ୍ଟନାୟକ ପାର୍କରୁ ଏକ ବାଇ ସାଇକେଲ ରାଲି ବାହାରି ୟୁନିଟ୍ ୮ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ ପର୍ଯ୍ୟନ୍ତ ଯାଇଥିଲା। ଏହି ସାଇକେଲ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ସହ ବାୟୁ ପ୍ରଦୂଷଣ ରୋକିବା ଲାଗି ଅଧିକରୁ ଅଧିକ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର, ଅଳିଆ ନ ଜାଳିବା, ହୋଟେଲରେ କୋଇଲା ଚୁଲି ବ୍ୟବହାର ନକରିବାକୁ ଗୁରୁତ୍ବ ଦେଇଛନ୍ତି।

Advertisment

ଏହା ସହ ନିର୍ମାଣ ସାଇଟ୍‌ରେ ଧୂଳି ନ ଉଡିବାକୁ ଦେବା, ରାସ୍ତାରେ ଧୂଳି ଉଡ଼ିଲେ ପାଣି ସିଞ୍ଚନ କରିବା ପାଇଁ ଆହ୍ୱାନ ଦେଇଛି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ବାୟୁ ପ୍ରଦୂଷଣ କମିଲେ ନୀଳ ରଙ୍ଗ ଆକାଶ ବି ଦେଖାଯିବ ଓ ନିଃଶ୍ୱାସ ପ୍ରସ୍ୱାସ ପାଇଁ ସ୍ୱଚ୍ଛ ବାୟୁ ମିଳିବ। କେବଳ ଆଜି ଗୋଟିଏ ଦିନ ନୁହେଁ, ପ୍ରତି ମାସରେ ଏଭଳି କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରି ଓଡ଼ିଶାକୁ ସ୍ୱଚ୍ଛ ବାୟୁ ତାଲିକାରେ ଏକ ନମ୍ବର କରିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ। ରାଜ୍ୟର ୭ଟି ସହରରେ ବର୍ତମାନ ସ୍ୱଚ୍ଛ ବାୟୁ ପାଇଁ ଅଭିଯାନ ଜାରି ରହିଛି। ବିଶେଷ ଭାବେ ଶିଳ୍ପାଞ୍ଚଳ ଗୁଡିକରେ କାର୍ଯ୍ୟକ୍ରମ ଜାରି ରହିଛି। ଆଗକୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅନ୍ୟ ସହର ଗୁଡିକରେ ଏଭଳି  କାର୍ଯ୍ୟକ୍ରମ ଅଧିକରୁ  ଅଧିକ କରାଯିବା ନେଇ ନିଷ୍ପତି ହେବ।