କନକ ବ୍ୟୁରୋ: ଗ୍ରାଇଣ୍ଡର ଭଳି ଆଧୁନିକ ଉପକରଣର ଯୁଗରେ ସହରିଆ ଲୋକଙ୍କ ପସନ୍ଦ ପାଲଟିଛି ଶିଳ, ଶିଳପୁଆ ଓ ପେଷଣା ଭଳି ପଥର ସାମଗ୍ରୀ । କଳା ମୁଗୁନୀ ପଥରର ଏହି ଜିନିଷ କିଣିବାକୁ ଲୋକଙ୍କ ଭିତରେ ଆଗ୍ରହ ବଢ଼ୁଛି । ମୟୁରଭଞ୍ଜ ଖିଚିଂ ଅଞ୍ଚଳରେ ରହୁଥିବା ଭୂୟାଁ ଜନଜାତି ଲୋକଙ୍କ ଜୀବକା କହିଲେ ପଥର କାରିଗରୀ । ଅନେକ ଲୋକ ଏହି କାମ କରି ପରିବାର ପ୍ରତିପୋଷଣ କରନ୍ତି । ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରନ୍ତି । ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ଯେମିତିକି ପେଷଣା, ମସଲା ଛେଚା, ଶୀଳ, ଶୀଳପୁଆ, ଦୀପ ଓ ଝୁଣା ଷ୍ଟାଣ୍ଡ ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରନ୍ତି । ଶହେ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ୟ୍ୟନ୍ତ ଏହାର ଦାମ ରହିଛି ।
ଘରକରଣା ଜିନିଷ ସାଙ୍ଗକୁ ରାମଲାଲାଙ୍କ ବିଗ୍ରହ, ବୁଦ୍ଧ ଦେବ, ଗଣେଶ ଓ ବିଭିନ୍ନ ଠାକୁରଙ୍କ ପ୍ରତିମୂର୍ତ୍ତି କିଣିବାକୁ ଗ୍ରାହକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । କଳା ମୁଗୁନୀ ପଥରରେ ପ୍ରସ୍ତୁତ ଏହି ଜିନିଷ ଘରେ ବ୍ୟବହାର ପାଇଁ ଯେତିକି ଉପଯୋଗୀ ସେମିତି ସୁନ୍ଦର ମଧ୍ୟ । କାରିଗରଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଛି କଳାକୃତି । ତେବେ ସହରରେ ହାତ ପାହାନ୍ତାରେ ମୟୁରଭଞ୍ଜର ଏହି ସ୍ୱତନ୍ତ୍ର କଳା ମୁଗୁନୀ ପଥର ଜିନିଷ ମିଳୁଥିବାରୁ ଲୋକମାନେ ଘରକୁ ଖୁସିରେ କିଣି ନେଇଛନ୍ତି । ଏହି ସାମଗ୍ରୀର ବ୍ୟବହାର ବଢିଲେ ଶରୀର ପାଇଁ ଯେତିକି ଲାଭଦାୟକ ସେତିକି ପରିବେଶ ଉପଯୋଗୀ । ଅନ୍ୟପକ୍ଷରେ ହଜିଯାଉଥିବା କଳାକୁ ବଞ୍ଚାଇ ରଖିବା ସହ କଳାକାର ମାନେ ଚଳିବା ପାଇଁ ଅନ୍ତତଃ ଏସବୁ ଜିନିଷ କିଣିବା ଦରକାର ବୋଲି ମତ ରଖିଛନ୍ତି ଗ୍ରାହକ । ଓଡ଼ିଶାର ପରମ୍ପରା ଓ ଚାଲିଚଳଣୀ ସହ ଗ୍ରାମାଞ୍ଚଳର ଜିନିଷ ଜଡିତ। ତେଣୁ ଆଧୁନିକତା ଭିତରେ ବି ଲୋକମାନେ ଆଜି ବି ଗାଁ ସହ ଜଡିତ ହୋଇ ରହିବାକୁ ବେଶି ପସନ୍ଦ କରୁଛନ୍ତି ।