କନକ ବ୍ୟୁରୋ : ଭୁନେଶ୍ବରରେ ହେବ ଭୂତଳ ମେଟ୍ରୋ । ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଭୂତଳ ମେଟ୍ରୋ ପାଇଁ ନୂଆ ଆଲାଇନ୍ମେଣ୍ଟ୍ ତିଆରି ହୋଇନାହିଁ। ନଗର ଉନ୍ନୟନ ବିଭାଗ ଆଲାଇନ୍ମେଣ୍ଟ୍ କରିବା ପରେ ଭୂତଳ ରେଳ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ । ଏଲିଭେଟେଡ୍ ମେଟ୍ରୋ ହେବ ନାହିଁ । ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ନିର୍ମାଣ ହେବ । ଏଲିଭେଟେଡ୍ ହେଲେ ଭୁବନେଶ୍ବର ସହରର ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ନଷ୍ଟ ହେବ । ଏହାକୁ ଅକ୍ଷୂର୍ଣ୍ଣ ରଖିବାକୁ ଭୂତଳ ମେଟ୍ରୋ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ସେନେଇ ନଗର ଉନ୍ନୟନ ବିଭାଗ କାର୍ଯ୍ୟ ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ।
ଅନ୍ୟପଟେ ନୂତନ ଭାବେ ଲୋକସେବା ଭବନ ଓ ବିଧାନସଭା ନିର୍ମାଣ ହେବା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି । ଯେକୌଣସି ପ୍ରୋଜେକ୍ଟ ହେଉଛି, ତାହା କିପରି ସଠିକ୍ ସମୟରେ ସରିବ ସେନେଇ ସରକାର ନଜର ରଖିଛନ୍ତି । ନୂଆ ପ୍ରକଳ୍ପକୁ ସମୟରେ ସାରିବାକୁ ସରକାର ଫୋକସରେ ରଖିଛନ୍ତି । ଭୁବନେଶ୍ବରରେ ଓଡ଼ିଶା ମଣ୍ଡପର ନିର୍ମାଣ କରାଯିବ । ବିଶ୍ବସ୍ତରୀୟ କନ୍ଭେନସନର ପରିକଳ୍ପନା କରିଛନ୍ତି ସରକାର । ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି । ବୋର୍ଡ ରୁମ୍ଠୁ ନେଇ ୧୦ ହଜାର ଲୋକ ବସିବା ଭଳି ଏହି ସେଣ୍ଟର୍ ନିର୍ମାଣ କରାଯିବ । ନୂଆ ସେକ୍ରେଟେରିଏଟ୍ ଓ ବିଧାନସଭା ନିର୍ମାଣ ହେବ ଅନେକ ଗୁଡ଼ିଏ କାର୍ଯ୍ୟ ଏବେ କନସେପ୍ଟ ଷ୍ଟେଜରେ ଅଛି । ଆଗକୁ ଯେବେ ଏପରି ଅନେକ କାର୍ଯ୍ୟ କରାଯିବ , ତାହା କିପରି ସମୟରେ ଶେଷ ହେବ ସେନେଇ ଆଜିର ଆଲୋଚନା ଅନେକ ଗୁରୁତ୍ବ ରଖେ ବୋଲି ମନ୍ତ୍ରୀ କହିଛନ୍ତି ।