କନକ ବ୍ୟୁରୋ: ୨୦୧୬ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ସ୍ମାର୍ଟସିଟିର ପରିକଳ୍ପନା । ହେଲେ ଅଧାରେ ଅଟକିଛି  ବିଭିନ୍ନ ପ୍ରକଳ୍ପ । କେଉଁଠି କାମ ଅଧପନ୍ତରିଆ ତ, ଆଉ କେଉଁଠି ପ୍ରକଳ୍ପର ମୂଳଦୁଆ ବି ପଡ଼ିପାରିନି । ମୋଟ ଉପରେ ମାତ୍ର ୩୬ ପ୍ରତିଶତ କାମ ଆରମ୍ଭ ହୋଇଛି । ଖର୍ଚ୍ଚରେ ବି ତାଳମେଳ ନଥିବା ସିଏଜି ରିପୋର୍ଟ କହୁଛି ।

Advertisment
  • ବାଟବଣା ସ୍ମାର୍ଟସିଟି ପ୍ରକଳ୍ପ
  • ଅବଧି ସରିଲା, ସରିନି କାମ

୨୦୧୬ରେ ବହୁ ବଡ଼ ସହରକୁ ପଛରେ ପକାଇ ସ୍ମାର୍ଟସିଟି ଦୌଡ଼ରେ ଆଗରେ ରହିଥିଲା ଭୁବନେଶ୍ୱର । ଏହାର ବିକାଶ ପାଇଁ କେନ୍ଦ୍ରକୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ବ୍ୟୟବରାଦ ହୋଇଥିଲା ୪ ହଜାର ୫୩୭ କୋଟି ଟଙ୍କା । ହେଲେ ବହୁ ଆଡ଼ମ୍ୱରରେ ଆରମ୍ଭ ହୋଇଥିବା ସ୍ମାର୍ଟସିଟି କାମ ସମ୍ପୂର୍ଣ୍ଣ କରିବାରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ବା ବିଏସସିଏଲ୍ ସଂସ୍ଥା ବିଫଳ ହୋଇଛି । ସିଏଜି ରିପୋର୍ଟ ଅନୁସାରେ, ୨୦୨୩ ସୁଦ୍ଧା ମାତ୍ର ୩୬ ପ୍ରତିଶତ କାମ ଆରମ୍ଭ ହୋଇଛି । ୧୫ ଶହ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା କର୍ତ୍ତୃପକ୍ଷ ଦର୍ଶାଇଛନ୍ତି, କିନ୍ତୁ ସିଏଜି ରିପୋର୍ଟ କହୁଛି ୭୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଗତ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଛି ସ୍ମାର୍ଟସିଟି ମିସନ୍ ଅବଧି । ସ୍ମାର୍ଟ କିଓସ୍କୋ, ଆମ ବସ ଷ୍ଟପ୍, ସ୍ମାର୍ଟ ଜନପଥ, ମଲ୍ଟଟି ପାର୍କିଂ, ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱେରେଜ, ଡିଜିଟାଲ କିଓସ୍କୋ, ସ୍ମାର୍ଟପାର୍କ, ମୋ ସାଇକେଲ ଭଳି ଏକାଧିକ ପ୍ରକଳ୍ପ ସ୍ମାର୍ଟସିଟି ମିସନ୍ ଅନ୍ତର୍ଭୁକ୍ତ ଥିଲା । ଏଥିରୁ ଅନେକ କାର୍ଯ୍ୟକ୍ଷମ ହୋଇଥିଲେ ବି ରକ୍ଷଣାବେକ୍ଷଣା ହୋଇପାରୁନି । କେଉଁ ପ୍ରକଳ୍ପ ପାଇଁ କେତେ ଖର୍ଚ୍ଚ ହୋଇଛି, ସେ ନେଇ ବି ସଠିକ୍ ତଥ୍ୟ ମିଳୁନି । ରାଜ ମହଲ ଓ ସହିଦ ନଗରରେ ବହୁତଳ କାର୍ ପାର୍କିଂ ନିର୍ମାଣରେ ବିଳମ୍ୱ ପାଇଁ ସ୍ମାର୍ଟସିଟି ଲିମିଟେଡ୍ ୧୧ କୋଟି ଟଙ୍କା ରାଜସ୍ୱ ହରାଇଛି ।

ଏବେ ସ୍ମାର୍ଟସିଟିର ସମ୍ପତ୍ତି ପରିଚାଳନା ଓ ରକ୍ଷଣାବେକ୍ଷଣ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ହେଲେ କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଭୁବନେଶ୍ବର ସ୍ମାର୍ଟସିଟି ସ୍ବପ୍ନ, ସ୍ବପ୍ନରେ ରହିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି ।