Photograph: (KANAKNEWS)
କନକବ୍ୟୁରୋ : ନନ୍ଦନକାନନରୁ ଜୟଦେବ ବିହାରକୁ ହେବ ନୂଆ ରାସ୍ତା । ସାଲିଆ ସାହି ମଝିରେ ଯିବ ୨୦୦ ଫୁଟିଆ ରାସ୍ତା । ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିସାରିଥିବାବେଳେ ସାଲିଆ ସାହିରେ ଦେଖାଦେଇଛି ଉତ୍ତେଜନା । ବସ୍ତିବାସିନ୍ଦାଙ୍କ ସର୍ଭେ କରିବାକୁ ପହଞ୍ଚିଥିଲା ବିଏମସି । ସାଥିରେ ଥିଲା ପୋଲିସ ପ୍ରଶାସନ । କିନ୍ତୁ ଲୋକଙ୍କ ଜିଦ ଆଗରେ ଫେଲ ମାରିଲେ ସରକାରୀ ବାବୁ । ଜମି ଦିଅ , ଘର ଲୋଡା ନାହିଁ , ସାଲିଆ ସାହିର ନୂଆ ରାସ୍ତାକୁ ନେଇ ଛକା ପଞ୍ଝା
ସାଲିଆ ସାହି ମଝିରେ ଯିବ ୨୦୦ ଫୁଟର ରାସ୍ତା । ଏନେଇ ପ୍ରକ୍ରିୟା ଆରମ୍ଭ କଲେଣି ସରକାର । କିନ୍ତୁ ଏହା ପୂର୍ବରୁ ବସ୍ତି ବାସିନ୍ଦା ଓ ବିଏମସି ଅଧିକାରୀଙ୍କ ଭିତରେ ଆରମ୍ଭ ହୋଇଗଲାଣି ଛକାପଞ୍ଝା । ୨୦୦ ଫୁଟର ରାସ୍ତା ତିଆରି ହେଲେ ମାଟିରେ ମିଶିବ ୫ଶହରୁ ଅଧିକ ଘର । ଘର ହରାଇଥିବା ବ୍ୟକ୍ତିଙ୍କ ପାଇଁ ଆପାର୍ଟମେଣ୍ଟରେ ଘର ଦେବାର ବ୍ୟବସ୍ଥା କରୁଛି ବିଏମସି। ଋଣ ଦେବା ପାଇଁ ବିଏମସି ବ୍ୟାଙ୍କ ସହ ଯୋଗାଯୋଗ ବି କରିଛି ।
ତେବେ ସାଲିଆ ସାହିରେ ରହିବାର କଣ କଣ ପ୍ରମାଣ ରହିଛି ସେନେଇ ତଥ୍ୟ ସଂଗ୍ରହ କରିବାକୁ ପହଞ୍ଚିଥିଲେ ବିଏମସି ଅଧିକାରୀ। ହିତାଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପରେ ଋଣ ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରିଥାନ୍ତା ବିଏମସି। କିନ୍ତୁ ଏହି ପ୍ରୟାସ ବିଫଳ ହୋଇଛି । ବସ୍ତି ବାସିନ୍ଦା ଦେଉନାହାନ୍ତି ନିଜର କୌଣସି ତଥ୍ୟ ।
ସାଲିଆ ସାହି ମଝିରେ ସିଧା ରାସ୍ତା ଗଲେ ଅଲ୍ପ ଘର ଭାଙ୍ଗିବ, କିନ୍ତୁ ଏବେ ସରକାର ଯେଉଁ ନକ୍ସା ଦେଖାଉଛନ୍ତି ସେଥିରେ ଶତାଧିକ ଘର ଭାଙ୍ଗିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି ।
ଘର ନୁହଁ ବରଂ ଜମି ଦିଅ ବୋଲି ଅଡି ବସିଛନ୍ତି ସ୍ଥାନୀୟ ବାସିନ୍ଦା । ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡିବ ଏହି ନୂଆ ରାସ୍ତା । ପ୍ରକଳ୍ପ ଆରମ୍ଭରୁ ପୁଣି ବିବାଦ ତେଜିଛି । ବସ୍ତିବାସିନ୍ଦାଙ୍କ ସର୍ଭେ ପାଇଁ ଟିମ ଯାଇ ବିଫଳ ହୋଇଥିବାବେଳେ ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ବିଭାଗୀୟ ଆଲୋଚନା କରିଛନ୍ତି । ତେବେ ଖୁବ ଶୀଘ୍ର ଏହି ସମସ୍ୟାର ସମାଦାନ ବାହାରିବ ବୋଲି ବିଏମସି କହିଛି ।
Follow Us