କନକ ବ୍ୟୁରୋ: ଭୁବନେଶ୍ବରରେ ପ୍ଲଟ୍‌ କିଣେଇଦେବାକୁ କହି ଜଣେ ମହିଳା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ୭୨ ଲକ୍ଷ ଟଙ୍କା ଠକିନେବା ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅଭିଯୁକ୍ତର ବାପାମାଆଙ୍କୁ ବାନ୍ଧିଛି । ସେମାନେ ହେଲେ ପୁରୁଣା ଭୁବନେଶ୍ବରରେ ରହୁଥିବା ଯାଜପୁର ଜିଲ୍ଲା  ଯୋଡ଼ିକୁଆ ବେଲାରପୁର ଗ୍ରାମର କମଳେନ୍ଦୁ ଦାସ(୬୫) ଓ ତାଙ୍କ ପତ୍ନୀ ପ୍ରତିଭା ମହାନ୍ତି(୫୫) । ଏହି ମାମଲାରେ ପୁଲିସ ଗତ ୩ତାରିଖରେ ମୁଖ୍ୟ ଅଭିଯୁକ୍ତ ସାଇପ୍ରତୀକ(୩୫)କୁ ଗିରଫ କରିଥିଲା । ୩ ତାରିଖ ପରଠୁ ଅର୍ଥାତ୍ ପୁଅ ସାଇ ଗିରଫ ହେବା ପରଠୁ ବାପାମାଆ କମଳେନ୍ଦୁ ଓ ପ୍ରତିଭା ଫେରାର ହୋଇଯାଇଥିଲେ ।

Advertisment

ପୁଲିସ ସୂଚନାନୁସାରେ ଅଭିଯୋଗକାରିଣୀ ସଂସ୍କୃତି ପ୍ରିୟଦର୍ଶିନୀ ଓ ଅଭିଯୁକ୍ତ ସାଇ, ଉଭୟେ ଯାଜପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାରୁ ଉଭୟ ପରିଚିତ ଥିଲେ  । ରାଜଧାନୀରେ ଘର କରିବା ପାଇଁ ସଂସ୍କୃତି ଏକ ପ୍ଲଟ୍‌ କିଣିବାକୁ ଚାହୁଥିଲେ ଏବଂ ସାଇଙ୍କ ସହଯୋଗ ଲୋଡ଼ିଥିଲେ। ତେଣୁ ସାଇଙ୍କ କଥାରେ ସେ ଚଳିତବର୍ଷ ମାର୍ଚ୍ଚ ମାସରେ ପୁରୁଣା ଭୁବନେଶ୍ୱରରେ ରହୁଥିବା ସାଇଙ୍କ ବାପାମାଆଙ୍କ ପାଖକୁ ଆସିଥିଲେ । କିନ୍ତୁ ସାଇ, ତାଙ୍କ ବାପା କମଳେନ୍ଦୁ ଓ ମାଆ ପ୍ରତିଭା ମିଶି ସଂସ୍କୃତିକୁ ଫସାଇବାକୁ ଜାଲ ବିଛାଇଥିଲେ ବୋଲି ତାଙ୍କୁ ଜଣାନଥିଲା । ପ୍ଲଟ୍‌ କିଣାବିକା କଥା ଛିଡ଼ିବା ପରେ ସଂସ୍କୃତି, ସାଇଙ୍କ ଆକାଉଣ୍ଟକୁ ୭୨ଲକ୍ଷ ଟଙ୍କା ଦେଇଥିଲେ । 

ମାତ୍ର ଦିନ ଗଡ଼ିଚାଲିଲା ସିନା, ସଂସ୍କୃତିଙ୍କୁ ପ୍ଲଟ୍‌ ମିଳିଲା ନାହିଁ । ସେ ଟଙ୍କା ଫେରସ୍ତ ମାଗିବାରୁ ସାଇଙ୍କ ମାଆ ପ୍ରତିଭା ୩ଟି ଚେକ୍‌ ଦେଇଥିଲେ, ଯାହାକି ପରେ ବାଉନ୍‌ସ ହୋଇଯାଇଥିଲା । ସଂସ୍କୃତି ପୁଣି ଟଙ୍କା ମାଗିବାରୁ ବାପାମାଆ ଓ ପୁଅ ହତ୍ୟା ଧମକ ଦେଇଥିଲେ । ସୁପାରି ଦେଇ ସେମାନେ ସଂସ୍କୃତିଙ୍କୁ ମାରିଦେବେ ବୋଲି ଧମକ ଦେଲେ । ତେଣୁ ସଂସ୍କୃତି ଶ୍ରୀଲିଙ୍ଗରାଜ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ପୁଅ ପଛେପଛେ ବାପାମାଆଙ୍କୁ ଜେଲ୍‌ ହାଜତକୁ ପଠାଇଛି ।