କନକ ବ୍ୟୁରୋ: ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡକୁ ଥରିଲା ରାଜଧାନୀ। ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବକକୁ ଧାରୁଆ ଅସ୍ତ୍ରରେ ହାଣିଲା ନାବାଳକ। ପ୍ରତିଶୋଧ ପାରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ହତ୍ୟା କରିବା ପରେ ନାବାଳକ ଖଣ୍ଡଗିରୀ ଥାନାରେ ଆତ୍ମସମର୍ପଣ କରିଛି।
ନାବାଳକର କାରନାମାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ। ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଭିଆଇଲା ଅଭିଯୁକ୍ତ ପ୍ରେମିକ। ଝିଆରୀକୁ ବାହା ଦେବାକୁ ମନା କରିବାରୁ ଦାଦାକୁ ରାସ୍ତାରୁ ହଟାଇଦେଲା।
ସ୍ଥାନ- ରଘୁନାଥ ନଗରର, ସୁକ ବିହାର
ସମୟ- ରାତି ପ୍ରାୟ ୧୨ଟା
ଏକାକି ବାଇକ ଯୋଗେ ଘରକୁ ଫେରୁଥିଲେ ଜଗତ ମଲ୍ଲିକ ଓରଫ ଜଗା। ଘରଠାରୁ ମାତ୍ର ଅଳ୍ପ କିଛି ଦୁରରେ ଜଗାଙ୍କୁ ରାସ୍ତା ଉପରେ ପୁର୍ବରୁ ଛକି ରହିଥିଲେ ଜଣେ ନାବାଳକ ଓ ତାର ସହଯୋଗୀ। ଜଗାଙ୍କୁ ଦେଖିବା ମାତ୍ରେ, ପ୍ରତିଶୋଧ ପରାୟଣ ହୋଇ ପଡିଥିଲା ନାବାଳକ ଜଣକ। ସାଙ୍ଗରେ ରଖିଥିବା ଧାରୁଆ ଅସ୍ତ୍ରରେ ବେକକୁ ଚୋଟ ପକାଇଥିଲା । ଜୀବନ ବିକଳରେ ଗାଡ଼ି ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରାୟ ୫୦ ମିଟର ରାସ୍ତା ଯିବା ପରେ, ଘର ଦୁଆରେ ମୁହଁମାଡି ପଡିଯାଥିଲେ ଜଗା।
ଜଗାଙ୍କୁ ହତ୍ୟା କରି ସାରିବା ପରେ, ଅଭିୟୁକ୍ତ ନାବାଳକ ଓ ତାର ସହଯୋଗୀ ଦୌଡି ପଳାଉ ଥିବାର ଫୁଟେଜ ସାମନାକୁ ଆସିଛି। ପାଖରେ ଏକ ଧାରୁଆ ଅସ୍ତ୍ର ରଖିଥିବା ମଧ୍ୟ ଜଣାପଡୁଛି। ଅଭିୟୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ, ତାର ଅନ୍ୟଜଣେ ସାଙ୍ଗ ଫେରାର ହୋଇଯାଇଛି। ତେବେ ସେ ପ୍ରକୃତରେ ନାବାଳକ ନା ହତ୍ୟାକାଣ୍ଡରୁ ଖସିବା ପାଇଁ ଏହା ଆଉ ଏକ ଯୋଜନା ସେନେଇ ସନ୍ଦେହ କରୁଛି ପୁଲିସ। ଆବଶ୍ୟକସ୍ଥଳେ ଅଭିୟୁକ୍ତର ବୟସ ଜାଣିବା ପାଇଁ ତାର ରକ୍ତ ନମୁନା ବି ସଂଗ୍ରହ କରିପାରେ ପୁଲିସ।
ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ତଥ୍ୟ ଭିତିକ ପ୍ରମାଣ ପୁଲିସ ହାତର ଲାଗିଥିବା ବେଳେ, ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ।
Follow Us