କନକ ବ୍ୟୁରୋ :ଅକ୍ଟୋବର ମାସ ପ୍ରଥମ ସପ୍ତାହ ଯାଇ ଦ୍ବିତୀୟ ସପ୍ତାହ ହେଲାଣି । ତଥାପି ରାଜ୍ୟରେ ଛେଚୁଚି ବର୍ଷା । ପୂର୍ବାହ୍ନରେ ଖରାଦିନ ଭଳି ଖରା ହେଉଛି, ଅପରାହ୍ନରେ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ଆଉ ମାଠିଆରୁ ଢାଳିଲା ଭଳି ଢ଼ାଳୁଛି । ଏତେ ଜୋରରେ ବର୍ଷୁଛି ଯେ ମାତ୍ର କିଛି ସମୟରେ ବେହାଲ ହେଉଛି ଓଡ଼ିଶା । ସକାଳୁ ଖରାଟିଆ ପାଗ ହୋଇଥିବାବେଳ ହଠାତ୍ ମଧ୍ୟାହ୍ନରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ଚର୍ତୁଦିଗ ଅନ୍ଧକାର କରି ମୂଷଳ ଧାରାରେ ବର୍ଷିଥିଲା । ଏତେ ଜୋରରେ ଢ଼ାଳିଥିଲା ଯେ ମାତ୍ର କିଛି ସମୟ ସମୟରେ ରାଜଧାନୀରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଥିଲା । ଯୁଆଡେ ଚାହିଁବ ଖାଲି ଖାଲି ପାଣି ହିଁ ଦେଖାଯାଉଥିଲା । ରାସ୍ତାରେ ଗାଡି ମଟର ଯିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା । ଜନପଥ, ବମିଖାଲ, ରାଜମହଲ ଭଳି ସ୍ଥାନରେ ଭୟଙ୍କର ସ୍ଥିତି ଉପୁଜିଥିଲା । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ଓସକାର ସିଟି ଭଳି ତଳିଆ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ ପ୍ରାୟ ଅଧା ଓଡ଼ିଶାରେ ବର୍ଷା ହୋଇଛି । ସବୁଠି ସମାନ ସ୍ଥିତି । ବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିଛି । ଆଗାମି ୩ଦିନ ପର୍ଯ୍ୟନ୍ତ ଏଭଳି ପ୍ରଭାବ ଜାରି ରହିବ ବୋଲି ଆକଳନ କରିଛି ଆଇଏମଡି । ଆଇଏମଡିର ଆକଳନ ଅନୁସାରେ, କାଲି ସକାଳ ପର୍ଯ୍ୟନ୍ତ ଉପକୂଳ, ଉତ୍ତର-ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶାର ୨୪ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତାପରେ ଦିନ ତମାମ ୨୦ରୁ ଅଧିକ ଜିଲ୍ଲାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପାଣିପାଗର ପାରିପାର୍ଶ୍ବକ ସ୍ଥିତିକୁ ଦେଖି ଅକ୍ଟୋବରରେ ବାତ୍ୟା ଆଶଙ୍କା କମ୍ ରହିଛି । ନଭେମ୍ବରରେ ବାତ୍ୟା ଆଶଙ୍କା ଅଧିକ ରହିଛି ବୋଲି କହିଛନ୍ତି ଆଇଏମଡି ପୂର୍ବତନ ଡିଜି । କାର୍ତ୍ତିକ ମାସରେ ପାଣିପାଗର ଏଭଳି ଖେଳ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।