କନକ ବ୍ୟୁରୋ : ରିଆଲିଟି ସୋ’ ବିଗ୍ ବସ୍ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ କରି ଯୁବପିଢ଼ିମାନଙ୍କର ଏହି ସୋ’ ପ୍ରତି ଆଗ୍ରହ ମଧ୍ୟ ବଢ଼ୁଛି । ଭୋପାଳର ଜଣେ ପ୍ରସିଦ୍ଧ ଚର୍ମରୋଗ ଡାକ୍ତରଙ୍କୁ ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍ରେ ଏଣ୍ଟ୍ରି କରାଇଦେବାର ପ୍ରଲୋଭନ ଦେଖାଇ ୧୦ ଲକ୍ଷ ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ଡାକ୍ତର ଅଭିନୀତ ଗୁପ୍ତା, ଯିଏକି ଭୋପାଳରେ ଏକ ସ୍ୱନାମଧନ୍ୟ ଚର୍ମ କ୍ଲିନିକ୍ ଚଳାନ୍ତି, ସେ ଏହି ଠକେଇର ଶିକାର ହୋଇଛନ୍ତି ।
ସୂଚନା ଅନୁସାରେ , ୨୦୨୨ ମସିହାରେ କରଣ ସିଂ ନାମକ ଜଣେ ବ୍ୟକ୍ତି ନିଜକୁ ଇଭେଣ୍ଟ୍ ଡାଇରେକ୍ଟର ବୋଲି ପରିଚୟ ଦେଇ ଡାକ୍ତର ଗୁପ୍ତାଙ୍କ ସହ ଯୋଗାଯୋଗ କରିଥିଲେ । ଟେଲିଭିଜନ ପ୍ରଡକ୍ସନ୍ ହାଉସ୍ରେ ତାଙ୍କର ଭଲ ସମ୍ପର୍କ ଥିବା ଦାବି କରି , ଡାକ୍ତର ଗୁପ୍ତାଙ୍କୁ ବିଗ୍ ବସ୍ରେ "ବ୍ୟାକ୍ଡୋର୍ ଏଣ୍ଟ୍ରି" କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ ।
ଡାକ୍ତର ଗୁପ୍ତା ଏହି ପ୍ରତିଶ୍ରୁତିରେ ବିଶ୍ୱାସ କରି କରଣ ସିଂଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ, ଯେତେବେଳେ ବିଗ୍ ବସ୍ର ପ୍ରତିଯୋଗୀଙ୍କ ଅଫିସିଆଲ୍ ତାଲିକା ପ୍ରକାଶ ପାଇଲା, ସେଥିରେ ଡାକ୍ତର ଗୁପ୍ତାଙ୍କ ନାମ ନଥିଲା । ଏ ବିଷୟରେ ପଚାରିବାରୁ, କରଣ ତାଙ୍କୁ ଏକ "ବ୍ୟାକ୍ଡୋର୍ ପ୍ରକ୍ରିୟା" ମାଧ୍ୟମରେ ପ୍ରବେଶ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ।
ଏହାପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଡାକ୍ତର ଗୁପ୍ତା ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ । କିନ୍ତୁ କରଣ ସିଂ ତାଙ୍କ ଫୋନ୍ କଲ୍ ଏଡ଼ାଇବା ସହ ଶେଷରେ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ । ଏହାପରେ ଡାକ୍ତର ଗୁପ୍ତା ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍ ଡାକ୍ତର ଅଭିନୀତ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୨୦ ଅନୁଯାୟୀ ଏକ ମାମଲା ରୁଜୁ କରିଛି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।