କନକ ବ୍ୟୁରୋ: ପାନ...ଏକ ଲାଭଦାୟକ ତଥା ଅର୍ଥକାରୀ ଚାଷ । ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ପାନ ଚାଷ ହୋଇଥାଏ । ତା ମଧ୍ୟରୁ ଭୋଗରାଇର ଜଗନ୍ନାଥୀ ତଥା ବୀରକୁଳି ପାନର ସ୍ବାଦ ଓ ମାନ ଅଲଗା । ଦିନେ ଏହି ପାନ ବନାରସ, ମାଡ୍ରାସ, ପୁନେ, ମୁମ୍ବାଇ, କାନପୁର, ଲକ୍ଷ୍ନୌ ଭଳି ସହରରେ ବିକ୍ରି ହେଉଥିଲା । ହେଲେ କରୋନା ପରଠାରୁ ଆଗଭଳି ଆଉ ବ୍ୟବସାୟ ହେଉନାହିଁ । ଆଗରୁ ଏତେ ମାତ୍ରାରେ ଉତ୍ପାଦନ ହେଉଥିଲା ଯେ ଏହାକୁ ରପ୍ତାନି କରିବା ପାଇଁ ବ୍ୟବସାୟୀ ମାନେ ନାକେଦମ ହେଉଥିଲେ । କିନ୍ତୁ ଆଜି ଏହି ପାନ ଚାଷରୁ ମୁହଁ ଫେରାଇଲେଣି ଚାଷୀ ।
ଭୋଗରାଇ ବ୍ଲକରେ ୪୦ ପ୍ରତିଶତ ଲୋକ ପାନ ଚାଷ ଉପରେ ନିର୍ଭରଶୀଳ । ପାନଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ବର୍ତ୍ତମାନ ପାନ ଚାଷୀଙ୍କ ଅବସ୍ଥା ଏଭଳି ହୋଇଛି ଚାଷ ଛାଡ଼ି ଦାଦନ ମୁହାଁ ହେଉଛନ୍ତି ଚାଷୀ । ଜଗନ୍ନାଥୀ ପାନ କେବଳ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ ଭୋଗରାଇରୁ ହିଁ ମିଳିଥାଏ । ଏହାର ଚାହିଦା ରହିଥିଲେ ମଧ୍ୟ ପ୍ରୋତ୍ସାହନ ମିଳୁନଥିବାରୁ ଲୋକମାନେ ଚାଷରୁ ମୁହଁ ଫେରାଉଛନ୍ତି ।