କନକ ବ୍ୟୁରୋ :  ପୂର୍ବରୁ ମହିଳା ମାନେ ଘର କାମରେ ସୀମିତ ରହୁଥିଲେ । ଏବେ ରୋଜଗାର କରିବା ପାଇଁ ବାଟ ବାଛିଛନ୍ତି ମହିଳା । ଗାଁ ଗାଁରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଧୂପକାଠୀ, ଟେଲରିଂ, ଛତୁ ଚାଷ ଓ ଛେଳି ଚାଷ ଭଳି କାମ କରୁଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ଗାଁର ରାଣୀ ଲକ୍ଷ୍ମୀଵାଇ ଉତ୍ପାଦକ ଗୋଷ୍ଠୀର ୨୪ ଜଣ ସଦସ୍ୟା ମିଶି ଛତୁ ଚାଷ କରୁଛନ୍ତି । ମାତ୍ର ୩୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ଚାଷ ୩ ବର୍ଷ ଭିତରେ ୩ ଲକ୍ଷ ଟଙ୍କାରେ ପହଂଚିଲାଣି । 

Advertisment

ମହିଳା ମାନେ ପାଳ ଛତୁ ଚାଷ ପାଇଁ ବ୍ଲକ ସ୍ତରରେ ତାଲିମ ନେଇଛନ୍ତି । ଏହା ପରେ ବଜାରରୁ ଛତୁମଞି, ନଡ଼ା, ବାଉଁଶ କିଣି ଛତୁ ବେଡ ପକାଉଛନ୍ତି । ଛତୁର ଚାହିଦା ଅଧିକ ରହୁଥିବାରୁ ଭଲ ବ୍ୟବସାୟ ମଧ୍ୟ ହେଉଛି । ଏହି ମହିଳା ମାନେ ପାଖାପାଖି ୨ଶହଟି ବେଡ଼  ପକାଇଛନ୍ତି । ପ୍ରତିଦିନ ପାଖାପାଖି ୧୦ ରୁ ୧୨ କେଜି ଛତୁ ଅମଳ ହେଉଛି । ଅମଳ ହେଉଥିବା ଛତୁ ସ୍ଥାନୀୟ ବଜାର ସହ ବ୍ୟବସାୟୀ ଓ ଖାଉଟିଙ୍କୁ  ବିକ୍ରି କରୁଛନ୍ତି । 

ଏହି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାଣୀ ଲକ୍ଷ୍ମୀବାଇ ଉତ୍ପାଦିକା ଗୋଷ୍ଠୀର ମହିଳା । ଚାଷ କ୍ଷେତ୍ରରେ କେବଳ ପୁରୁଷ ଲୋକମାନେ ଯେ ସଫଳ ହୁଅନ୍ତି ତା ନୁହେଁ ମହିଳା ମାନେ ମଧ୍ୟ କିଛି କମ୍ ନୁହଁନ୍ତି । ଯାହାକୁ ପ୍ରମାଣିତ କରିଛନ୍ତି ରାଣୀ ଲକ୍ଷ୍ମୀବାଇ ଉତ୍ପାଦକ ଗୋଷ୍ଠୀର ମହିଳା।