କନକ ବ୍ୟୁରୋ: ବିନା ମାମଲାରେ ଯୁବକଙ୍କୁ ଥାନାରେ ଅଟକ ରଖିବା ପୁଲିସ୍ ବାବୁଙ୍କୁ ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ । କୌଣସି ମାମଲା ରୁଜୁ ନହୋଇ ବି ୨ ଦିନ ଧରି ଯୁବକଙ୍କୁ ଥାନା ଭିତରେ ଗୋଡ଼ ଓ ହାତ ବାନ୍ଧି ପକାଇ ଅଟକ ରଖିଥିଲେ ଥାନା ଅଧିକାରୀ । ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପହଞ୍ଚି ଏସପିଙ୍କ ସହିତ ଭିଡିଓ କଲରେ ଦେଖାଇବା ପରେ ଯୁବକଙ୍କୁ ଛାଡ଼ିଥିଲେ ଥାନା ବାବୁ ।
ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ୍ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳ ଏକ ବାଇକ୍ ଅଦଳବଦଳ କରିଥିବା ନେଇ ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜୟନ୍ତୀ ଦତ୍ତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଯୁବକଙ୍କୁ ଭୋଗରାଇ ପୁଲିସ ଉଠାଇ ଆଣି ଥାନାରେ ହାତ ଓ ଗୋଡ଼ରେ ବେଡ଼ି ପକାଇ ଅଟକ ରଖିଥିଲେ । ଏମିତି ଘଟଣା ସଂପର୍କରେ ଖବର ପହଞ୍ଚିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭୋଗରାଇ ଥାନାକୁ ଆସି ଘଟଣାର ସତ୍ୟାସତ ଦେଖିଥିଲେ । ଏବଂ ବାଲେଶ୍ବର ଏସପିଙ୍କୁ ଭିଡିଓ କଲ୍ ଜରିଆରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ ।