କନକ ବ୍ୟୁରୋ : ଧରାପୃଷ୍ଠକୁ ଆଗମନ କରିଛନ୍ତି ମା’ ଦୂର୍ଗା । ଏଥିପାଇଁ ସବୁଠି ପ୍ରସ୍ତୁତି ଜୋରଦାର । ଗାଁଠୁ ସହର ସବୁଠି ଚଳଚଂଚଳ । ଦୂର୍ଗାପୂଜା ସମୟରେ ମୁଖ୍ୟତଃ ବ୍ୟବସାୟ ଜମିଥାଏ । ତେଣୁ ଏହାକୁ ନଜରରେ ରଖି ବାଲେଶ୍ୱର ବାହାନଗା ବ୍ଲକ ଶଙ୍ଖଜଗନ୍ନାଥପୁର ଗାଁ ୧୫୦ଟି ପରିବାର ତିଆରି କରୁଛନ୍ତି ଭୋଗ ଡାଲା । ପୂଜାର ୩ ମାସ ପୂର୍ବରୁ ମହିଳା ମାନେ ତାଳ ପତ୍ର ସଂଗ୍ରହ କରନ୍ତି । ତାଳପତ୍ରରୁ ଶିରା ଓ ତାଳ ବାହୁଙ୍ଗାରୁ କୋରଟ ବାହାର କରି ଶୁଖାଇ ରଖନ୍ତି । ସେଥିରେ ବିଭିନ୍ନ ପ୍ରକାରର ରଙ୍ଗ ଦେଇ ସୁନ୍ଦର ସୁନ୍ଦର ଭୋଗ ଡାଲା ପ୍ରସ୍ତୁତ କରନ୍ତି । 

Advertisment

ଖାଲି ଭୋଗ ଡାଲା ନୁହେଁ ଫୁଲ ଚାଙ୍ଗୁଡ଼ି, ଚାଉଳ ଧୂଆ ଭଳି ଘରକରଣା ସାମଗ୍ରୀ ତିଆରି କରୁଛନ୍ତି ମହିଳା । ନିଜର କୌଳିକ ବୃତିକୁ ବଂଚାଇ ରଖିବା ସହିତ ପରିବାରର ଗୁଜୁରାଣ ମେଂଟାଇଥାଆନ୍ତି କାରିଗର । ଘରକାମ ପରେ ୬ରୁ ୭ ଘଂଟା ପରିଶ୍ରମ କରି ୮ରୁ ୧୦ହଜାର ଟଙ୍କା ରୋଜଗାର କରୁଛନ୍ତି । ମହିଳା ମାନେ ପ୍ରସ୍ତୁତ କରୁଥିବା ଏହିସବୁ ସାମଗ୍ରୀ ବାଲେଶ୍ବର, ଜଳେଶ୍ବର, ବାରିକପୁର, ଭଦ୍ରକ, ସୋର, ଭୁବନେଶ୍ବର, କଟକ, ଯାଜପୁର, ଅଂଚଳରେ ବିକ୍ରି ହେଉଛି । ଗୋଟିଏ ଗୋଟିଏ ଡାଲାକୁ ଏମାନେ ୫୦ ଟଙ୍କାରେ ବିକ୍ରି କରୁଛନ୍ତି ।  

ଦିନକୁ ଦିନ ରସ, ପ୍ଲାଷ୍ଟିକ୍ ଓ ଷ୍ଟିଲର ସାମଗ୍ରୀ ବଜାରକୁ ଆସୁଥିଲେ ମଧ୍ୟ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଏହି ସବୁ ସାମଗ୍ରୀର ବଜାର ଚାହିଦା ରହିଛି । ପୂଜା ସମୟରେ ମହିଳାଙ୍କ ବ୍ୟବସାୟ ବଢ଼ିଛି ।