କନକ ବ୍ୟୁରୋ : ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଏନେଇ ଏନଡିଏ ତରଫରୁ ସି.ପି ରାଧାକ୍ରିଷ୍ଣନ ନାମାଙ୍କନ ଭରିଥିବା ବେଳେ ଇଣ୍ଡିଆ ବ୍ଲକ ତରଫରୁ ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୁଇଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ତୃତୀୟ ପ୍ରାର୍ଥୀ ଭାବେ ଜଗତ ସିଂ ନାମାଙ୍କନ ଭରିଥିଲେ ବି ସେ ଲୋକଲୋଚନର ଆଢୁଆଳରେ ରହିଯାଇଛନ୍ତି । 

Advertisment

ହରିଆଣାର ଭବାନୀ ଜିଲ୍ଲାର ଚାଙ୍ଗ୍ ଗାଁରେ ରହୁଥିବା ୭୧ ବର୍ଷିୟ ଜଗତ ସିଂ ପୁଣିଥରେ ରାଜନୀତିରେ ସକ୍ରିୟ ଭାଗିଦାରୀ ଦେଖାଇବାକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ୩ ଥର ରାଷ୍ଟ୍ରପତି ନିର୍ବାଚନ ବେଳେ ନାମାଙ୍କନ ଭରିଥିଲେ । ହେଲେ ୩ଥର ଯାକ କୌଣସି କାରଣରୁ ତାଙ୍କ ନାମାଙ୍କନ ଖାରଜ ହୋଇଥିଲା । ଏଥର ବି ତାଙ୍କ ନାମାଙ୍କନ ଖାରଜ ହେବା ନେଇ ସମ୍ଭାବନା ରହିଛି । 

ଅବସରପ୍ରାପ୍ତ କିରାଣୀ ଜଗତ ସିଂଙ୍କ କହିବା କଥା ସରକାରୀ କର୍ମଚାରୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ସେ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବାକୁ ଚାହିଛନ୍ତି । ତାଙ୍କ କହିବା କଥା ଯେପର୍ଯ୍ୟନ୍ତ କର୍ମଚାରୀ ଶସକ୍ତ ନହେବେ ସେପର୍ଯ୍ୟନ୍ତ ପ୍ରଶାସନିକ ବ୍ୟବସ୍ଥା ଦୃଢ ହେବନାହିଁ । ତାଙ୍କ ସ୍ୱପ୍ନ ହେଉଛି ଦେଶରେ ଖାଲି ପଡିଥିବା ସମସ୍ତ ସରକାରୀ ପଦ ପୂରଣ କରିବା । 
ଜଗତ ସିଂ ବିଦ୍ୟୁତ୍ ବିଭାଗର ମିଟର ରିଡର ଭାବେ ତାଙ୍କ କର୍ମଚାରୀ ଜୀବନ ଆରମ୍ଭ କରିଥିଲେ । ଏହି କ୍ରମରେ ସେ ୩୬ ବର୍ଷର କର୍ମଚାରୀ ଜୀବନରେ ଅନେକ ପଦରେ ରହି ଲୋକଙ୍କୁ ସେବା ଯୋଗାଇଛନ୍ତି । ୨୦୧୨ ମସିହାରେ ସେ ଡିଭିଜନ କ୍ଲର୍କ ପଦରେ ଥାଇ ଅବସର ନେଇଥିଲେ । ଏହାପରେ ସେ ସିଧା ସଳଖ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବାକୁ ନାମାଙ୍କନ ଭରିଥିଲେ । ୨୦୧୨,୨୦୧୭ ଓ ୨୦୨୨ ରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଥିଲେ । 

କେବଳ ସେତିକି ନୁହେଁ ଜଗତ ସିଂ ଦୁଇଥର ଲୋକସଭା ଓ ଗୋଟିଏ ଥର ବିଧାନସଭା ନିର୍ବାଚନ ମଧ୍ୟ ଲଢିସାରିଛନ୍ତି । ତାଙ୍କର କହିବା କଥା ନିର୍ବାଚନ କୌଣସି ପଦ ପାଇଁ ନୁହେଁ ବରଂ ଏକ ଉର୍ଦ୍ଦେଶ୍ୟରେ ସେ ଲଢୁଛନ୍ତି ।