କନକ ବ୍ୟୁରୋ : ଭିମସାର ଶିଶୁ ଚୋରି ଘଟଣାର କାହାଣୀ ବଖାଣିଛି ପୋଲିସ। ଡାକ୍ତରଖାନାରୁ ଶିଶୁ ଚୋରି କରିଥିବା ମହିଳା ନିଃସନ୍ତାନ ଥିବାବେଳେ ପାରିବାରିକ ତଥା ସାମାଜିକ ଅପବାଦ ସହି ନପାରି ଛୁଆ ଚୋରି କରିଥିବା କଥା ସାମ୍ନାକୁ ଆସିଛି । ଗର୍ଭସ୍ଥ ଶିଶୁର ମୃତ୍ୟୁ ପରେ ବି ଗର୍ଭବତୀ ରହିବାର ମିଛ ନାଟକ କରିଥିଲେ । ଶେଷର ଛୁଆ ଚୋରି କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ମହିଳା।

Advertisment

ନିଜେ ମାଆ ହେବେ ବୋଲି ଆଉ ଜଣେ ମାଆର ମମତାକୁ ତାଙ୍କ ଠାରୁ ଅଲଗା କରିଦେଇଥିଲା। କୋଳକୁ ପିଲାଟିଏ ଆସିଲେ, ସାହିପଡ଼ିଶାଙ୍କ ଟାହିଟାପରାରୁ ମୁକ୍ତି ମିଳିଯିବ। ଆଉ ନିନ୍ଦା ଅପବାଦ ଶୁଣିବାକୁ ମିଳିବନାହିଁ। ଏମିତି କିଛି ଭାବନା ନେଇ ସେଦିନ ବୁର୍ଲା ଡାକ୍ତରଖାନାରୁ ଶିଶୁପୁତ୍ରଟିକୁ ଚୋରି କରିଥିବା ପୁଲିସ ଆଗରେ କହିଛନ୍ତି ସଂପୃକ୍ତ ମହିଳା। ଭିମସାର ଶିଶୁ ଚୋରି ଘଟଣାରେ ଏମିତି କିଛି ରୋଚକ ତଥ୍ୟ ସାମ୍ନାକୁ ଆଣିଛି ପୁଲିସ। 

ପୁଲିସର କହିବା ଅନୁସାରେ, ଶିଶୁପୁତ୍ର ଚୋରି କରିଥିବା ମହିଳା ଜଣଙ୍କ ନିଜେ ଗର୍ଭବତୀ ଥିଲେ। ତାଙ୍କ ଗର୍ଭସ୍ଥ ଶିଶୁଟି ନଷ୍ଟ ହୋଇଯିବା ପରେ ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସାହି ପଡ଼ିଶାଙ୍କ ଲାଞ୍ଛନା କଥା ଭାବି ଚିନ୍ତାରେ ପଡ଼ିଯାଇଥିଲେ। ଗର୍ଭ ନଷ୍ଟ ହେବା କଥା କାହାକୁ ନଜଣାଇ, ଗର୍ଭବତୀ ମହିଳାଙ୍କ ଭଳି ନାଟକ କରୁଥିଲେ। ଡାକ୍ତରଖାନାକୁ ଚେକ୍ଅପ୍ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ୨ ଦିନ ଧରି ଡାକ୍ତରଖାନାରେ ବୁଲୁଥିଲେ । ଛତିଶଗଡ଼ରୁ ଆସିଥିବା ମହିଳାଙ୍କ ସହ ସୁ-ସଂପର୍କ ସ୍ଥାପନ କରିଥିଲେ। ପରେ ସୁଯୋଗ ଦେଖି ତାଙ୍କ ପିଲାଟିକୁ ନେଇ ଯାଇଥିଲେ।

ଭିମସାର ଶିଶୁ ଚୋରି ଘଟଣାରେ ମହିଳା ଜଣଙ୍କ ଯାହା କହୁଛନ୍ତି ତାହା ଯଦି ସତ ହୋଇଥାଏ, ତେବେ ସାଙ୍ଘାତିକ । ସାମାଜିର ଅପବାଦ ସହିନପାରି ମହିଳା ଚୋରି କରିବାକୁ ପଛାଉନାହାନ୍ତି ।